ନିୟନ୍ତ୍ରଣ ବାହାରେ କରୋନା: ପଶ୍ଚିମ ଓଡ଼ିଶା ସମେତ ଟୁଇନ୍‌ ସିଟିରେ ହୋଇପାରେ ୭ ଦିନିଆ ଲକ୍‌ଡାଉନ୍‌

ଭୁବନେଶ୍ୱର,୩୦।୪(ବ୍ୟୁରୋ): ପଶ୍ଚିମ ଓଡ଼ିଶାର କେତେକ ଜିଲା ସମେତ ଟୁଇନ୍‌ ସିଟିରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ସପ୍ତାହ ପରେ ଅନ୍ତତଃ ପକ୍ଷେ ଏକ ସପ୍ତାହ ପାଇଁ ପ୍ରଭାବିତ ଅଞ୍ଚଳରେ ଲକ୍‌ଡାଉନ୍‌ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି।

ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, କରୋନା ବ୍ୟାପିବା ପଛର ଅନ୍ୟତମ କାରଣ ହେଉଛି ଗୋଷ୍ଠୀ ସଂକ୍ରମଣ। ବିଭିନ୍ନ ସ୍ଥାନରୁ ସହରକୁ ଅନେକ ଲୋକ ଆସୁଥିବାରୁ ଭୁବନେଶ୍ୱର ଓ କଟକରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଜଣେ ପଜିଟିଭ୍‌ ବ୍ୟକ୍ତି ଅନେକଙ୍କୁ ସଂକ୍ରମିତ କରୁଛନ୍ତି। ଏଭଳି ସ୍ଥିତି ଉପରେ ସରକାର ନଜର ରଖିବା ସହ ଆବଶ୍ୟକ ସ୍ଥାନରେ ଶଯ୍ୟା ବୃଦ୍ଧି କରାଯାଉଛି।

ସେହିଭଳି ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର ଆଦି ଜିଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ସପ୍ତାହରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ସତ୍ତ୍ୱେ ଏହାର ବିଶେଷ ପ୍ରଭାବ ପଡ଼ିିଥିବା ନଜର ଆସିନାହିଁ। ଫଳରେ ଲକ୍‌ଡାଉନ୍‌ ହିଁ ଏକମାତ୍ର ବିକଳ୍ପ ବୋଲି ମତ ପ୍ରକାଶ ପାଉଛି।

ଗୋଟିଏ ପଟେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏଠାର କିଛି ସ୍ଥାନରେ ସାମାଜିକ ଦୂରତାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି। ବିଶେଷକରି ପନିପରିବା, ମାଛ ବଜାର ଏବଂ ମନ ଦୋକାନରେ ଗହଳି ପଜିଟିଭ୍‌ ସଂଖ୍ୟା ବୃଦ୍ଧି ହେବାର ମୁଖ୍ୟ କାରଣ ପାଲଟିଛି। ଏଥିପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍‌ କରାଯାଇ ବଜାରକୁ ସିଲ କରାଯାଉଛି।

ତେବେ ଓଡ଼ିଶାର ବିଭିନ୍ନ କୋଭିଡ ସେଣ୍ଟରରେ ୩୧,୪୭୧ ଶଯ୍ୟା ରହିଛି। ସେଥିରୁ ୧୭,୪୯୫ରେ ଅକ୍ସିଜେନ ସୁବିଧା ରହିଛି। ଆସନ୍ତା ୧୦ ଦିନ ମଧ୍ୟରେ କୋଭିଡ୍‌ ଡାକ୍ତରଖାନାରେ ୩୦୦୦ ଶଯ୍ୟା ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

Share