Categories: ଫୁରସତ

ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶା

୧୯୪୨ ମସିହା ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶା ଏକ ଗୌରବମୟ ଭୂମିକା ଗ୍ରହଣ କରିଥିଲା। ଅଗଷ୍ଟ ୯ ତାରିଖ ରାତିରେ ବମ୍ବେଠାରେ ଭାରତୀୟ ଜାତୀୟ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ହରେକୃଷ୍ଣ ମହତାବଙ୍କ ସମେତ ତୁଙ୍ଗନେତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏଥିସହ ଓଡ଼ିଶାର ସବୁ ଜିଲା କଂଗ୍ରେସ କମିଟି, ଥାନା କଂଗ୍ରେସ କମିଟି ଓ କଂଗ୍ରେସ ଆଶ୍ରମକୁ ବେଆଇନ ଘୋଷଣା କରି ସେଥିରେ ତାଲା ପକାଇ ଦିଆଯାଇଥିଲା। ଅପରପକ୍ଷରେ ଅଗଷ୍ଟ ୧୧ରେ ସୁରେନ୍ଦ୍ର ନାଥ ଦ୍ୱିବେଦୀ ଓ ତା’ ପରଦିନ ମାଳତି ଚୌଧୁରୀ ବମ୍ବେରୁ ଫେରି ଆସିଥିଲେ। ତା’ପରେ ଓଡ଼ିଶାର ରାଜନୈତିକ ବାତାବରଣ ଉଷ୍ମ ହୋଇଥିଲା। ସେତେବେଳକୁ ସବୁ ତୁଙ୍ଗ ନେତା କାରାଗାରରେ ଥିବାରୁ ଆନ୍ଦୋଳନ ଏକ ଭିନ୍ନ ମୋଡ଼ ନେଇଥିଲା। ପୁରପଲ୍ଲୀରେ ଥିବା କଂଗ୍ରେସ କର୍ମୀମାନେ ଦଳ ବା ଅନ୍ୟ କୌଣସି ନେତାଙ୍କଠାରୁ ନିର୍ଦ୍ଦେଶ ନ ପାଇବା ଫଳରେ ନିଜ ଅଞ୍ଚଳରେ ସେମାନେ ଜଣେ ଜଣେ ନେତା ହୋଇ ପରିସ୍ଥିତି ଅନୁସାରେ ହିଂସାତ୍ମକ କାର୍ଯ୍ୟରେ ଆଶ୍ରୟ ନେଇଥିଲେ। ସେମାନେ ପୋଷ୍ଟ ଅଫିସ, ଥାନା, ସରକାରୀ ଅଫିସ ପୋଡିବା ସମେତ ସେଥିରେ ଥିବା ଆସବାବପତ୍ର ଲୁଟ କରିନେଇଥିଲେ। କେତେକ ସ୍ଥାନରେ ଏହା ଏପରି ଭୟାବହ ରୂପ ଧାରଣ କରିଥିଲା ଯେ, ପୋଲିସ ଗୁଳିରେ କେତେକ ସତ୍ୟାଗ୍ରହୀ ଟଳି ପଡିଥିଲେ।
ଅବିଭକ୍ତ ବାଲେଶ୍ୱର ଜିଲାରେ ପୋଲିସ ତିନୋଟି ସ୍ଥାନରେ ଗୁଳିଚାଳନା କରିବାରୁ ଓଡିଶାରେ ସର୍ବାଧିକ ସତ୍ୟାଗ୍ରହୀଙ୍କର ମୃତ୍ୟୁ ଘଟିଥିଲା। ଜଣେ ମହିଳା ସମେତ ୪୨ ଜଣ ମୃତ୍ୟୁବରଣ କରି ଶହୀଦ ହୋଇଥିଲେ।
ବର୍ତ୍ତମାନର ଭଦ୍ରକ ଜିଲା ଅନ୍ତର୍ଗତ ଭଣ୍ଡାରିପୋଖରୀ ଥାନା ପୋଡ଼ି ଥିଲା ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନ ସମୟରେ ପ୍ରଥମ ହିଂସାତ୍ମକ କାର୍ଯ୍ୟ। ଏହା ଥିଲା ୧୯୪୨ ଅଗଷ୍ଟ ୧୭ ତାରିଖର ଘଟଣା। ସେହିପରି ଧାମନଗର ଥାନା ଅନ୍ତର୍ଗତ ଲୁଣିଆ କଟ ସାହି ଗ୍ରାମ ନିକଟରେ ଏକ ପଡିଆରେ ସେପ୍ଟେମ୍ବର ୨୨ ତାରିଖ ଦିନ ପୋଲିସ ଗୁଳିରେ ୯ ଜଣ ମୃତ୍ୟୁ ବରଣ କରିଥିଲେ। ବାଲେଶ୍ୱର ଜିଲାର ଖଇରା ଥାନା ଅନ୍ତର୍ଗତ ତୁଡିଗଡିଆ ଓ ଖଇରାଡିହି ଗ୍ରାମରେ ସେପ୍ଟେମ୍ବର ୨୮ ରେ ତିନିଜଣ ସତ୍ୟାଗ୍ରହୀ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିଲେ। ୧୯୪୨ ମସିହା ସେପ୍ଟେମ୍ବର ୨୮ରେ ଅଧୁନା ଭଦ୍ରକ ଜିଲାର ବାସୁଦେବପୁର ଥାନା ଅନ୍ତର୍ଗତ ଇରମରେ ଏକ ଲୋମହର୍ଷଣକାରୀ ଘଟଣା ସଂଗଠିତ ହୋଇଥିଲା। ପୋଲିସ ଫୌଜ ଗୁଳିଚାଳନା କରି ୨୯ ଜଣଙ୍କର ପ୍ରାଣ ନେବା ସଙ୍ଗେ ସଙ୍ଗେ ୫୬ ଜଣଙ୍କୁ ଆହତ କରିଥିଲେ।

ଅବିଭକ୍ତ କଟକ ଜିଲାରେ ଭାରତ ଛାଡ ଆନ୍ଦୋଳନ ଭୟଙ୍କର ରୂପ ନେଇଥିଲା। ଏହି ଜିଲାରେ ପୋଲିସ ଗୁଳିରେ କେତେଜଣ ଶହୀଦ ହୋଇଥିଲେ। ସେତେବେଳର ଯାଜପୁର ସବ୍‌ଡିଭିଜନ ଅଧୁନା ଯାଜପୁର ଜିଲାର ବିଞ୍ଝାରପୁର ଥାନା ଅନ୍ତର୍ଗତ କାଇପଡା କଳାମାଟିଆଠାରେ ଅଗଷ୍ଟ ୨୬ ତାରିଖ ଦିନ ପୋଲିସ ଅମାନୁଷିକଭାବେ ଗୁଳିଚାଳନା କରି ୪ ଜଣ ସତ୍ୟାଗ୍ରହୀଙ୍କୁ ମାରିଦେବା ସଙ୍ଗେ ସଙ୍ଗେ ୧୯ ଜଣଙ୍କୁ ଆହତ କରିଥିଲେ। ଅବିଭକ୍ତ କୋରାପୁଟ ଜିଲାରେ ଭାରତଛାଡ ଆନ୍ଦୋଳନର ଜୁଆର ନିଜର ସରହଦ ଅତିକ୍ରମ କରିଥିଲା। ଏହି ଜିଲାରେ ଜଣଙ୍କୁ ଫାଶୀ ଦିଆଯିବା ସହ ପୋଲିସ ଗୁଳିରେ ୨୫ ଜଣ ମୃତ୍ୟୁବରଣ କରିଥିଲେ। ଫାଶୀ ପାଇଥିବା ଲକ୍ଷ୍ମଣ ନାୟକ ଥିଲେ ସେହି ଆନ୍ଦୋଳନର ଏକ ଶାଣିତ ସ୍ବର। ସେହିପରି ୧୯୪୨ ଅଗଷ୍ଟ ୨୪ରେ ଅବିଭକ୍ତ କୋରାପୁଟ ଜିଲା ନବରଙ୍ଗପୁର ସବ୍‌ଡିଭିଜନ୍‌ର ପାପଡ଼ାହାଣ୍ଡିଠାରେ ପୋଲିସ ଫୌଜ ଗୁଳିରେ ୧୯ଜଣ ସତ୍ୟାଗ୍ରହୀ ମୃତ୍ୟୁବରଣ କରିବା ସଙ୍ଗେ ସଙ୍ଗେ ୧୭ଜଣ ଆହତ ହୋଇଥିଲେ।

ପୁରୀ ଜିଲାର କେତେଜଣ ସତ୍ୟାଗ୍ରହୀ ୧୯୪୨ ସେପ୍ଟେମ୍ବର ୧୬ରେ ନିମାପଡ଼ା ଥାନା ପୋଡ଼ିବା ପାଇଁ ଉଦ୍ୟମ କରୁଥିବା ସମୟରେ ପୋଲିସ ଗୁଳି କରି ଜଣଙ୍କର ପ୍ରାଣ ନେଇଥିଲେ। ଆଉ କେତେଜଣ ମଧ୍ୟ ଆହତ ହୋଇଥିଲେ। ସମ୍ବଲପୁର ଜିଲା ଆନ୍ଦୋଳନ ତୀବ୍ର ହୋଇଥିବାବେଳେ ଏଠାରେ ତିନି ଜଣ ନାରୀନେତ୍ରୀ ସେମାନଙ୍କର ଦୁଃସାହସିକ ପଦକ୍ଷେପ ପାଇଁ ସ୍ବାଧୀନତା ସଂଗ୍ରାମରେ ସ୍ମରଣୀୟ ହୋଇ ରହିଛନ୍ତି। ସେମାନେ ହେଲେ ଜମ୍ବୁବତୀ ଦେବୀ, ପ୍ରଭାବତୀ ଦେବୀ ଓ ପାର୍ବତୀ ଗିରି। ସେହିପରି ଗଞ୍ଜାମ ଜିଲାରେ ସତ୍ୟାଗ୍ରହୀମାନେ ସରକାରୀ ଅଫିସଗୁଡିକୁ ପୋଡ଼ି ଦେଇଥିଲେ। ଓଡ଼ିଶାରେ ଥିବା ୨୬ଟି ଗଡ଼ଜାତ ରାଜ୍ୟ ଊଣା ଅଧିକେ ଭାରତଛାଡ଼ ଆନ୍ଦୋଳନର ରଙ୍ଗଭୂମି ହୋଇଥିଲା। ଢେଙ୍କାନାଳ, ତାଳଚେର ଓ ନୟାଗଡ଼ ରାଜ୍ୟରେ ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। କେତେଜଣ ସତ୍ୟାଗ୍ରହୀ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିଲେ। ଏହାଥିଲା ଭାରତଛାଡ଼ ଆନ୍ଦୋଳନକୁ ଓଡ଼ିଶାର ଲୋମହର୍ଷଣକାରୀ ଗୁରୁତ୍ୱପୂର୍ଣ୍ଣ ଅବଦାନ।

ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ
ମୋ-୯୮୬୧୦୬୪୯୫୦

Share