ବଲାଙ୍ଗୀର ଅଫିସ,୨୮ା୧୧: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ବଲାଙ୍ଗୀର ଗସ୍ତରେ ଆସି ବଲାଙ୍ଗୀର ଜିଲାର ମାଓବାଦୀ ଅପରେଶନ ତଦାରଖ କରିବା ସହ ପୋଲିସ ଗୁଳିରେ ଟଳି ପଡ଼ିଥିବା ବଲାଙ୍ଗୀର-ବରଗଡ଼-ମହାସମୁଦ ଡିଭିଜନର ଏରିଆ କମିଟି ସଦସ୍ୟ ଶଙ୍କରଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ଶନିବାର ରାତିରେ ଖପ୍ରାଖୋଲ ଥାନା ଅନ୍ତର୍ଗତ ଯୁନାନୀବାହାଲ ଗାଁରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ମାଓବାଦୀ ଶଙ୍କରଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ପ୍ରାୟ ୮ ଜଣ ମାଓବାଦୀ ଫେରାର ହୋଇଯାଇଥିଲେ । ମାଓବାଦୀଙ୍କ ଠାରୁ ଏକ ଇନସାସ ରାଇଫଲ, ୭ଟି ଜୀବନ୍ତ ଗୁଳି, ଡିଟୋନେଟର, ମାଓବାଦୀ ପୁସ୍ତିକା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଖପ୍ରାଖୋଲ ଥାନା ପୋଲିସ ଟିମ୍ ଓ ଡିଭିଏଫ୍ ଟିମ୍ ସଫଳ ଅପରେଶନ କରିଥିବାରୁ ପୋଲିସ ଡିଜି ଅଭୟ ପ୍ରଶଂସା କରିଥିଲେ। ଓଡ଼ିଶା ସରକାରଙ୍କ ଭଲ ମାଓବାଦୀ ଥଇଥାନ ପଲିସି ରହିଛି ଅଳ୍ପ କିଛି ବଞ୍ଚିଥିବା ମାଓବାଦୀ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି ଡିଜି ଅଭୟ ଗଣମାଧ୍ୟମକୁ କହିଥିଲେ। ଗନ୍ଧମାର୍ଦ୍ଦନରେ ସର୍ଚ୍ଚ ଅପରେଶନ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ।