ପୋଲିସ ସହ ସଚେତନ କରୁଛି ‘ସାଇରା’

ଭୁବନେଶ୍ୱର,୩।୯(ସତ୍ୟଜିତ୍‌ ରାଉତ):ସଚେତନତା ମାଧ୍ୟମରେ ସାଇବର ଅପରାଧରେ ରୋକ୍‌ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ‘ସାଇବର ସୁରକ୍ଷା ଅଭିଯାନ’ ଆରମ୍ଭ ହୋଇଛି। ଗତ ଶନିବାର ରାଜ୍ୟର ସବୁ ଜିଲା ପାଇଁ ୩୪ଟି ରଥକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବାବେଳେ ସେସବୁ ରଥ ସୋମବାରଠାରୁ ଗଡ଼ିବା ଆରମ୍ଭ କରିଛି। ପୋଲିସ ସହ ମିଶି ସଚେତନତା କରୁଛି ମାସ୍କଟ ‘ସାଇରା’। ଏଥିସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି। ଏହି କ୍ରମରେ ଭୁବନେଶ୍ୱରରେ ମଧ୍ୟ ସାଇବର ସୁରକ୍ଷା ଅଭିଯାନ ସହ ରଥର ଶୁଭାରମ୍ଭ ସହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମାଷ୍ଟରକ୍ୟାଣ୍ଟିନ ଛକଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅରବିନ୍ଦ ଢାଲି, ସୁରେଶ ରାଉତରାୟ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ ଓ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କର୍ମକର୍ତ୍ତା ପ୍ରମୁଖ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ପରେ ସାଇବର ସୁରକ୍ଷା ଉପରେ ଏକ ସଚେତନାମୂଳକ ନାଟକ ପରିବେଷଣ କରାଯାଇଥିଲା। ଏଥିସହ ଛୋଟ ପିଲାମାନେ ଗୀତ ଗାଇ ସଚେତନତା ବାର୍ତ୍ତା ଦେଇଥିବାବେଳେ ସାଇବର ସ୍ବେଚ୍ଛାସେବୀମାନେ ଲୋକଙ୍କୁ ସାଇବର ଅପରାଧରୁ ନିଜକୁ ରକ୍ଷା କରିବାକୁ ସଚେତନ କରିଥିଲେ। ପରେ ସାଇବର ରଥ ଇନ୍‌ଫୋସିଟି, ନନ୍ଦନକାନନ, ସିଭିରମଣ କଲେଜ ସମେତ ଭୁବନେଶ୍ୱରର ବିଭିନ୍ନ ଥାନା, ସର୍ବସାଧାରଣ ସ୍ଥାନକୁ ବୁଲି ସଚେତନତାର ବାର୍ତ୍ତା ଦେଇଥିଲା। ସାରେ ରସୁଲଗଡସ୍ଥିତ ଏସ୍‌ପ୍ଲାନେଡ ମଲ୍‌ରେ ସାଇବର ସଚେତନା ସମ୍ପର୍କିତ ଫଟୋ, ଭିଡିଓ ପ୍ରସାର କରାଯାଇଥିଲା। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ରଥ ସହର ସାରା ବୁଲି ବୁଲି ସାଇବର ଅପରାଧ ସଂକ୍ରାନ୍ତରେ ସଚେତନ କରିବ। ଶିକ୍ଷାନୁଷ୍ଠାନରେ ସାଇବର ସୁରକ୍ଷା ଉପରେ କର୍ମଶାଳା ସହିତ କୁଇଜ୍‌ ପ୍ରତିଯୋଗିତାର କାର୍ଯ୍ୟକ୍ରମ ରହିଛି।

Share