Advertisement

ବୀରମିତ୍ରପୁରରେ ଆଶଙ୍କାରେ ଭାଜପା,ବିଜେଡି ଆଶାୟୀ

କୁଆଁରମୁଣ୍ଡା,୨୧ା୩ (ମହେନ୍ଦ୍ର କୁମାର ସାହୁ): ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିଲେ ମଧ୍ୟ ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ସୁନ୍ଦରଗଡ ଜିଲାର ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ଦଳ ଭାଜପା,ବିଜେଡିର ଟିକେଟ ଆଶାୟୀ ସଂଶୟରେ ପଡ଼ିଯାଇଛନ୍ତି। ୨୦୧୯ରେ ଏଠାରୁ ଭାଜପା ପ୍ରାର୍ଥୀ ଶଙ୍କର ଓରାମ ବିଜୟ ଲାଭ କରିଥିଲେ। କିନ୍ତୁ ପ୍ରାୟ ୪ ବର୍ଷ ହେବ ସେ ନିର୍ବାଚନ ମଣ୍ଡଳୀରେ ବିଶେଷ କିଛି କାର୍ଯ୍ୟକ୍ରମ କରି ନ ଥିବା ବେଳେ ଗତ ବର୍ଷେ ହେଲା ପୁରା ଦମରେ ଦଳୀୟ କର୍ମୀଙ୍କୁ ଏକଜୁଟ କରି ସଂଗଠନ ବଢାଉଛନ୍ତି। ତେବେ ବିଧାୟକ ଦୀର୍ଘ ୪ ବର୍ଷ ନୀରବ ରହିବା କାରଣରୁ ଦଳ ପଞ୍ଚାୟତ ନିର୍ବାଚନରେ ସଫଳତା ପାଇ ପାରିଲା ନାହିଁ ବୋଲି ଭାଜପାର କେତେକ ସ୍ଥାନୀୟ ନେତା ତାଙ୍କୁ ଦାୟୀ କରୁଛନ୍ତି। ଅନ୍ୟ ପକ୍ଷରେ ଭାଜପା ଓ ବିଜେଡି ମେଣ୍ଟ ହେଲେ ଆସନ ବୁଝାମଣାରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ଭାଜପା ଭାଗରେ ରହିବ ବୋଲି ଶଙ୍କରଙ୍କ ଅନୁଗତମାନେ ଜୋର୍‌ ଦେଉଛନ୍ତି। ଆସନ ବୁଝାମଣାରେ ଯଦି ଏହି ଆସନଟି ଭାଜପା ଭାଗରେ ରହେ ତେବେ ତାଙ୍କୁ ପୁଣି ଏଠାରୁ ଦଳୀୟ ଟିକେଟ ମିଳିବ ବୋଲି ଶଙ୍କର ଦୃଢ଼ ଆଶାବାଦୀ ଅଛନ୍ତି। ଶଙ୍କର ଯଦି ଟିକେଟ ପାଆନ୍ତି ତେବେ ତାଙ୍କୁ ବିରୋଧ କରୁଥିବା ନେତାଙ୍କ ପାଇଁ କଂଗ୍ରେସ ଦଳ ହିଁ ସାହା ହୋଇପାରେ କିମ୍ବା ସେମାନେ ସ୍ବାଧୀନଭାବେ ଲଢ଼ିପାରନ୍ତି ବୋଲି ଆଲୋଚନା ଚାଲିଲାଣି। ସେହିପରି ବିଜେଡିରେ ଅଧିକାଂଶ ଆଶାୟୀ ଏବେ ସଂଶୟରେ ଅଛନ୍ତି। ଆସନ ବୁଝାମଣା ହେଲେ ସେମାନଙ୍କର ବର୍ଷ ବର୍ଷର ପ୍ରଚେଷ୍ଟା ବିଫଳ ହୋଇଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିଲେ ବି ଭାଜପା ଓ ବିଜେଡି ମଧ୍ୟରେ ମେଣ୍ଟ ନେଇ ଅଦ୍ୟାବଧି କୌଣସି ସ୍ପଷ୍ଟ ଚିତ୍ର ଆସି ନ ଥିବାରୁ ଉଭୟ ଦଳର ନେତାଙ୍କ ମଧ୍ୟରେ ଟିକେଟକୁ ନେଇ ଭାଳେଣି ପଡ଼ିଛି। ଏବେ ଏହି ନିର୍ବାଚନ ମଣ୍ଡଳୀର ବୀରମିତ୍ରପୁର ପୌରପାଳିକା ସମେତ କୁଆଁରମୁଣ୍ଡା,ନୂଆଗାଁ ଓ ବିଶ୍ରା ସମସ୍ତ ୩ ଟି ବ୍ଲକରେ ବିଜେଡି ପଞ୍ଚାୟତ ସମିତି ଗଠନ କରିଛି। ସେହିପରି ଏହି ନିର୍ବାଚନ ମଣ୍ଡଳୀରେ ଥିବା ୬ ଟି ଜିଲା ପରିଷଦ ଜୋନ ମଧ୍ୟରୁ ୫ଟିରେ ବିଜେଡି ଓ ଗୋଟିଏରେ ଭାଜପା ଥିଲା ବେଳେ କଂଗ୍ରେସ ଦଳ ଗୋଟିଏରେ ବି ଖାତା ଖୋଲି ପାରି ନାହିଁ। ମୋଟାମୋଟି ଦେଖିବାକୁ ଗଲେ କଂଗ୍ରେସ ଦଳରେ ଏଠାରୁ କେହି ଆଖିଦୃଶିଆ ଆଶାୟୀ ପ୍ରାର୍ଥୀ ନ ଥିଲା ବେଳେ ଉଭୟ ଭାଜପା ଓ ବିଜେଡିରେ ମାଳମାଳ ଆଶାୟୀ। କିନ୍ତୁ ମେଣ୍ଟ କଥା ସ୍ପଷ୍ଟ ହେଉ ନ ଥିବାରୁ ତାହା ସ୍ଥାନୀୟ ନେତାଙ୍କୁ ଆଶଙ୍କାରେ ପକାଇଥିବା ନେଇ କେତେକେ ନାମ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share