ମେଣ୍ଟ ଚର୍ଚ୍ଚା ଥମୁନି, ଏଣେ ମିଶ୍ରଣ ପର୍ବ ବନ୍ଦ

ଭୁବନେଶ୍ୱର, ୧୨।୩: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଜୋରଦାର୍‌ ଚଳାଇଥିଲେ। ହେଲେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେବା ଦିନଠାରୁ ସବୁ ପ୍ରକାର ରାଜନୈତିକ କାର୍ଯ୍ୟକ୍ରମକୁ ଏକ ପ୍ରକାର ଠପ୍‌ ହୋଇଯାଇଛି। କିଛିଦିନ ତଳୁ ଅସନ୍ତୁଷ୍ଟ ନେତାମାନେ ଦଳଡିଆଁ କରୁଥିଲେ। ବର୍ତ୍ତମାନ ସେହି ଚିନ୍ତାଧାରାରେ ବ୍ୟାପକ ପରିବର୍ତ୍ତନ ହେବା ଭଳି ଲାଗୁଛି। ଭାଜପାର ସେପରି କୌଣସି ନେତା ଆଉ ବିଜେଡିରେ ଯୋଗ ଦେବା ଭଳି ଘଟଣା ଦେଖିବାକୁ ମିଳୁନାହିଁ। ଅନ୍ୟପଟେ କଂଗ୍ରେସର କିଛି ଟାଣୁଆ ନେତାଙ୍କୁ ମଧ୍ୟ ବିଜେଡି ଏବଂ ଭାଜପା ନିଜ ଦଳରେ ସାମିଲ କରିଦେଉଥିଲେ, ହେଲେ ସେକଥା ମଧ୍ୟ ଆଉ ଏବେ ଘଟୁନାହିଁ। ତେଣୁ ମିଶ୍ରଣ ପର୍ବ ଏକ ପ୍ରକାର ବନ୍ଦ ହୋଇଗଲା ଭଳି ମନେ ହେଉଛି।

କହିରଖୁଛୁ, ଗତ କିଛି ଦିନ ଧରି ରାଜ୍ୟରେ ଭାଜପା ଏବଂ ବିଜେଡ଼ି ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆସନ ଭାଗବଣ୍ଟା ଛିଡ଼ୁ ନ ଥିବାରୁ ଏନେଇ ଏଯାବତ ଘୋଷଣା ହୋଇପାରୁ ନ ଥିବା କୁହାଯାଉଛି। ତେବେ ଆଗାମୀ ଦିନ କେଇଟାରେ ତାହା ଉପରେ ମୋହର ବାଜିପାରେ ବୋଲି ଅଲୋଚନା ହେଉଛି। ଏନେଇ ଦିଲ୍ଲୀରେ ନେତାଙ୍କ ଘନ ଘନ ବୈଠକ ଚାଲିଛି। ଅପରପକ୍ଷେ କିଛି ନେତା ମେଣ୍ଟ ସମ୍ଭାବନାକୁ ଅସମ୍ଭବ ବୋଲି କହୁଥିବାରୁ ରାଜନୀତି ବେଶ ସରଗରମ ରହିଛି।

Share