ଭାଜପାରୁ ଇସ୍ତଫା ଦେଲେ ଲାଲା, ଇରାନୀ

ନୟାଗଡ଼,୧୫ା୩(ଲୋକନାଥ ମିଶ୍ର): ନୟାଗଡ଼ ଭାଜପା ନେତ୍ରୀ ଇରାନୀ ରାୟ ଓ ଭାଜପାର ପୂର୍ବତନ ଜିଲା ସଭାପତି ଲାଲା ମନୋଜ ରାୟ ପ୍ରାଥମିକ ସଦସ୍ୟ ପଦରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଏହି ଦମ୍ପତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଓ ଜାତୀୟ ସଭାପତିଙ୍କୁ ଇସ୍ତଫା ପତ୍ର ଦେଇଥିବା ଜଣାପଡିଛି। ଦଳୀୟ କାର୍ଯ୍ୟରେ ଅଣଦେଖା କରାଯିବା ପରେ ଏହି ଦମ୍ପତି ଇସ୍ତଫା ଦେଇଛନ୍ତି। ଅଭିଯୋଗ ଅନୁସାରେ, ଲାଲା ଓ ଇରାନୀଙ୍କୁ ପ୍ରାୟ ୮ରୁ ୯ମାସ ହେଲା ଦଳ ପକ୍ଷରୁ କୋଣଠେସା ଓ ଅଣଦେଖା କରାଯାଇଥିଲା। ବିନା କାରଣରେ ଲାଲାଙ୍କୁ ଜିଲା ସଭାପତି ପଦବୀରୁ ହଟାଇ ଦିଆଯାଇଥିଲା। ପରେ ଇରାନୀଙ୍କୁ ଅଣଦେଖା କରାଗଲା। ୨୦୧୪ ନିର୍ବାଚନରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ଇରାନୀ ରାୟ ଭାଜପା ପ୍ରାର୍ଥୀ ହୋଇ ୬ ହଜାର ଭୋଟ ପାଇଥିଲେ। ୨୦୧୯ରେ ଇରାନୀ ପୁଣି ଭାଜପା ପକ୍ଷରୁ ଟିକେଟ ପାଇ ୬୮ ହଜାର (୪୨ ପ୍ରତିଶତ) ଭୋଟ ପାଇ ଦଳର ଭୋଟ ହାରକୁ ବଢ଼ାଇ ଥିଲେ। ୨୦୨୨ ପଞ୍ଚାୟତ ନିର୍ବାଚନରେ ଦଳ ଭଲ ସ୍ଥିତିକୁ ଆସିଥିଲା। ଲାଲା ଓ ଇରାନୀଙ୍କ ଇସ୍ତଫା ପରେ ଭାଜପାର ଭୋଟ ହ୍ରାସ ପାଇ ପାରେ ବୋଲି କୁହାଯାଉଛି। ଶନିବାର ୩୦୦ରୁ ଊର୍ଦ୍ଧ୍ୱ ଭାଜପା ସମର୍ଥକ ଦଳ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share