ଅପରାଜିତାଙ୍କ ବଡ଼ ବୟାନ: କହିଲେ ‘ମେଣ୍ଟକୁ ନେଇ ବିଜେଡିର ନିବେଦନକୁ ଭାଜପା ପ୍ରତ୍ୟାଖ୍ୟାନ କରିଛି’

ଭୁବନେଶ୍ୱର,୨୨।୩: ରାଜ୍ୟରେ ଭାଜପା ସହ ମେଣ୍ଟ କରିବାକୁ ବିଜେଡି ନିବେଦନ କରିଥିଲା। କିନ୍ତୁ ଭାଜପା ବିଜେଡିର ନିବେଦନକୁ ପ୍ରତ୍ୟାଖ୍ୟାନ କରିଛି ବୋଲି ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ରାଜ୍ୟରେ କିଛି ଦିନ ଧରି ଜାରି ରହିଥିବା ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଅପରାଜିତା ଏହି ବଡ଼ ବୟାନ ଦେଇଛନ୍ତି।

ରାଜ୍ୟ ସଭାପତି ଟୁଇଟ୍‌ କରିବା ପରେ ସବୁକିଛି ସ୍ପଷ୍ଟ ହୋଇଯାଇଛି। ଭାଜପା ରାଜ୍ୟରେ ଏକାକୀ ଲଢ଼ିବ। ୨୧ ଲୋକ ସଭା ଓ ୧୪୭ ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଦେବ। ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହିତ ଓଡ଼ିଶାବାସୀ ଏହା ହିଁ ଚାହୁଁଥିଲେ। ମେଣ୍ଟ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଯେଉଁ ନିବେଦନ କରାଯାଇଥିଲା, ମୁଁ ଭାବୁଛି ଆମେ ତାକୁ ରିଜେକ୍ଟ କରିଛୁ ବୋଲି ଅପରାଜିତା କହିଛନ୍ତି।

କହିରଖୁଛୁ, ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ମଧ୍ୟରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ଅପରାହ୍ନରେ ଏକ ବଡ଼ ସୂଚନା ଦେଇଥିଲେ। ସେ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରି ଭାଜପା ଏଥର ରାଜ୍ୟର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ ବୋଲି କହିଥିଲେ। ଏହାପରେ ତାକୁ ରିପୋଷ୍ଟ କରି ଅପରାଜିତା ଏକ୍ସଲେଣ୍ଟ। ‘ଇମେନ୍ସଲୀ ଗ୍ରେଟ୍ଫୁଲ’ ବୋଲି ଲେଖିଥିଲେ।

Share