୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା ଅନିତା ଦାସ ଓ ଜିଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସସ୍ମିତା ସାମଲ ମଧ୍ୟ ଦଳ ଛାଡ଼ିଛନ୍ତି। ଏ ସମ୍ପର୍କରେ ନିରୋଜ ନଳିନୀ ମହାଳିକ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଏଥିସହ ଅପରାହ୍ନ ୪ଟାରେ ଏକ ଖବରଦାତା ସମ୍ମିଳନୀ କରି ଦଳ ବିରୋଧରେ ମୁହଁ ଖୋଲିଛନ୍ତି।

ଖବରଦାତା ସମ୍ମିଳନୀରେ ନିରୋଜ ନଳିନୀ କହିଛନ୍ତି, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଦ୍ୱାରା ଅନୁପ୍ରାଣିତ ହୋଇ ପ୍ରଥମେ ରାଷ୍ଟ୍ର ସେବିକା ସମିତିରେ କାମ କରିଥିଲେ। ୨୦୦୫ରେ ପ୍ରତ୍ୟେକ୍ଷ ଭାବେ ଭାଜପାରେ ଯୋଗଦେଇ ଜଣେ ନିଷ୍ଠାବାନ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ପରିବାରବାଦକୁ ବିରୋଧ କରୁଥିବା ଭାଜପା ଗୋଟିଏ ପରିବାର ହାତରେ ଦଳକୁ ୩୦ ବର୍ଷ ହେଲା ଟେକି ଦେଇଛି। ଭାଜପାରେ ଅଧିକ ନିର୍ଯାତିତ ଓ ନିଷ୍ପେସିତ ହୋଇଛି। ଏଠାରେ ମହିଳାଙ୍କୁ ସମ୍ମାନ ନାହିଁ। ମଙ୍ଗଳବାର ଦଳର ମିଶ୍ରଣ ପର୍ବରେ କରାଯାଇଥିବା ବିଶୃଙ୍ଖଳ ଆଚରଣରେ ସମସ୍ତେ ଦେଖିଥିବେ। ଚଳିତ ନିର୍ବାଚନରେ ପ୍ରାର୍ଥୀ ହେବାକୁ ସେ ଆଶାୟୀ ଥିଲେ। ଓଡ଼ିଶା ପାଇଁ ପ୍ରଭାରୀ ଥିବା ଦଳର ବରିଷ୍ଠ ନେତା ବିଜୟସିଂପାଲ ତୋମାର ୩ଥର ହାରିଥିବା ବ୍ୟକ୍ତିଙ୍କୁ ଟିକେଟ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। କିନ୍ତୁ ଏଠାରେ ୩ଥରରୁ ଅଧିକ ଥର ହାରିଥିବା ବ୍ୟକ୍ତିଙ୍କୁ ଟିକେଟ୍‌ ଦିଆଗଲା। ଏହାକୁ ନେଇ କେବଳ ସେ ନୁହେଁ, ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବହୁ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏଠି ଦଳକୁ ଉଠାଇ ଦିଆଯିବ ନାହିଁ।

କେବଳ ଭାଷଣବାଜିରେ ଦଳ ଚାଲୁଛି, କାର୍ଯ୍ୟରେ ନୁହେଁ। ଏ ପ୍ରକାର କୁତ୍ସିତ ରାଜନୀତି କରିବା ଅପେକ୍ଷା ତାଠାରୁ ଦୂରେଇ ରହି ସାମାଜିକ କାର୍ଯ୍ୟରେ ଲିପ୍ତ ରହିବା ଶ୍ରେୟସ୍କର ମନେକରି ସେ ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ଜିଲା ସମ୍ପାଦିକା ଅନିତା ଦାସ ଓ ଜିଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସସ୍ମିତା ସାମଲ ମଧ୍ୟ ଇସ୍ତଫା ଦେଇଛନ୍ତି ବୋଲି ନିରୋଜ ନଳିନୀ ପ୍ରକାଶ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଦଳରୁ ଇସ୍ତଫା ଦେଇଥିବା ଜିଲା ସମ୍ପାଦିକା ଅନିତା ଦାସ କହିଲେ, ମଙ୍ଗଳବାର ଦଳୀୟ କାର୍ଯ୍ୟାଳୟଠାରେ ଜିଲା ସଭାପତି ତାଙ୍କ ପ୍ରତି କରିଥିବା ଅପମାନଜନିତ ବ୍ୟବହାରର ଶେଷ ପରିଣତି ଭାବେ ସେ ଇସ୍ତଫା ଦେଉଛନ୍ତି। ଖବରଦାତା ସମ୍ମିଳନୀରେ ଦଳରୁ ଇସ୍ତଫା ଦେଇଥିବା ଜିଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସସ୍ମିତା ସାମଲ ମଧ୍ୟ ଉପସ୍ଥିତ ଥିଲେ।

Share