ଫେରାଦ ହେଲା ଭାଜପା: ୩ ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ଥିବା ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ

ଭୁୁବନେଶ୍ୱର,୯ା୩(ଅନିଲ ଦାସ): ଆଗକୁ ଲୋକ ସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ସରକାରୀ ଦଳ କଳବଳର ଅପପ୍ରୟୋଗ କରି ନିର୍ବାଚନ ଜିତିବାକୁ ଚାହୁଁଛି। ଏଣୁ ନିର୍ବାଚନ ପରିଚାଳନାକୁ ଅବାଧ ଓ ନିରପେକ୍ଷ କରାଇବା ପାଇଁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅବସ୍ଥାପିତ ଥିବା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ । ଏଭଳି ଦାବି ନେଇ ରାଜ୍ୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଭାଜପାର ଏକ ପ୍ରତିିନିଧି ଦଳ ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି।

ଭୁବନେଶ୍ୱରରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀ ଦୃଷ୍ଟିଗୋଚର ହେଉଛନ୍ତି। ସେମାନେ ହେଲେ ପୋଲିସ ଅଧିକାରୀଗଣ ଯଥା ଡିଏସ୍‌ପି ରଜତ ରାୟ, ଏସିପି ମାନସ ଗଡ଼ନାୟକ, ବାନାମ୍ବର ସେଠୀ ଓ ସଞ୍ଜୀବ ଶତପଥୀ, ଏଏସ୍‌ପି ଅଶୋକ ପାଣିଗ୍ରାହୀ, ହିମାଂଶୁ ସ୍ବାଇଁ ଓ ଗିରିଜା ଶଙ୍କର ଚକ୍ରବର୍ତ୍ତୀ, ଆଇଆଇସି ତୃପ୍ତି ରଞ୍ଜନ ନାୟକ, ଏସ୍‌ଆଇ ବିଜୟ ଦାସ ଓ ଷ୍ଟାଲିନ୍‌ଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ ।
ଏପରି କି ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ସରକାରୀ ଅଧିକାରୀମାନେ ନିଜ ଗୃହ ଜିଲାରେ ମଧ୍ୟ ଅବସ୍ଥାପିତ ହୋଇପାରିବେ ନାହିଁ । ଏପରି ଆହୁରି ଅନେକ ଅଧିକାରୀ ଗୋଟିଏ ସ୍ଥାନରେ ଏବଂ ଗୋଟିଏ ପଦବୀରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । ଏହା ଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି ହେବାରେ ଆଶଙ୍କା ରହିଛି। ସରକାରୀ ଅଧିକାରୀମାନେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ଭୁଲି ଶାସକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅଣସାମ୍ବିଧାନିକ। ଯଥାଶୀଘ୍ର ସେମାନଙ୍କୁ ବଦଳି କରାଯାଉ ବୋଲି ଲେଖାଶ୍ରୀ ଦାବି କରିଛନ୍ତି । ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍‌ କୁମାର ଦାସ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Share