ଭାଜପାରେ କାର୍ତ୍ତିକ, ସୁବିଧାଜନକ ସ୍ଥିତିରେ ବିଭୂତି

କାମାକ୍ଷାନଗର, ୧୦ା୩ (ଅମଜାଦ ଖାନ୍‌): ଚାରିଆଡ଼େ ନିର୍ବାଚନୀ ପବନ ବହୁଛି। ନିଲମ୍ବନ, ବହିଷ୍କାର, ଦଳଡିଆଁ, ମିଶ୍ରଣପର୍ବ ଆଦି ଜାରି ରହିଛି। ବିଭିନ୍ନ ଦଳରେ ଟିକେଟକୁ ନେଇ ଟଣାଓଟରା ଆରମ୍ଭ ହୋଇଛି। ପୁଣି ବିଜେଡି-ଭାଜପା ମେଣ୍ଟ ଆଲୋଚନାକୁ ନେଇ ବହୁକଥା ଶୁଣିବାକୁ ମିଳୁଛି। ତେବେ ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀକୁ ୨୦୦୯ରୁ ବିଜେଡି ଅକ୍ତିଆର କରିଆସିଛି। ବିଜେଡିର ନୃସିଂହ ଚରଣ ସାହୁ ପୁନଶ୍ଚ ପ୍ରାର୍ଥୀ ହୋଇ ୪ର୍ଥ ଥର ପାଇଁ ଏଠାରୁ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟପକ୍ଷରେ ନୃସିଂହଙ୍କ ଗତିରୋଧ କରିବା ଲାଗି ଭାଜପା ଅଣ୍ଟା ଭିଡ଼ିଛି। ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦଳ ଭାଜପାକୁ ସୁହାଇବ ବୋଲି ଏହାର ନେତା ଓ କର୍ମୀ କହୁଛନ୍ତି। ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରୁ ଆରମ୍ଭ ହୋଇଥିବା ବିଜେଡିର କନ୍ଦଳ ବର୍ତ୍ତମାନ ଏକ ବିସ୍ଫୋରକ ରୂପ ନେଇଛି। ଦଳର ଯୁବନେତା କାର୍ତ୍ତିକ ସାହୁ ବହିଷ୍କୃତ ହେବାପରେ, ଏବେ ସଦଳବଳେ ଭାଜପା ଶିବିରରେ ଆଶ୍ରୟ ନେଇଛନ୍ତି। ଯେହେତୁ ବିଜେଡିରୁ କାର୍ତ୍ତିକଙ୍କ ପ୍ରାର୍ଥୀ ହେବା ନେଇ ସାଧାରଣରେ ଅଧିକ ଚର୍ଚ୍ଚା ହେଉଥିଲା, ସେ ଦଳ ପରିବର୍ତ୍ତନ କରିବା ପରେ ଭାଜପା ସୁବିଧାଜନକ ସ୍ଥିତିରେ ରହିବ ବୋଲି ଆଲୋଚନା ହେଉଛି। ପରଜଙ୍ଗ ନିର୍ବାଚନମଣ୍ଡଳୀରେ ଭାଜପାର ଟିକେଟ ବିଭୂତି ପ୍ରଧାନଙ୍କୁ ମିଳିବା ନେଇ ଅଧିକ ଆଶା ଥିବାବେଳେ ଭାଜପାରେ କାର୍ତ୍ତିକଙ୍କ ପ୍ରବେଶ ବିଭୁତିଙ୍କୁ ଅଧିକ ଲାଭଜନକ ସ୍ଥିତିରେ ରଖିପାରେ ବୋଲି ଚର୍ଚ୍ଚା ହେଉଛି।

ଢେଙ୍କାନାଳ ଲୋକ ସଭା ଆସନ ଅନ୍ତର୍ଗତ ପରଜଙ୍ଗ ନିର୍ବାଚନମଣ୍ଡଳୀ ୨୦୦୯ ମସିହାରେ କଙ୍କଡ଼ାହାଡ଼ ବ୍ଲକର ୨୧ ଓ ପରଜଙ୍ଗ ବ୍ଲକର ୨୯ ପଞ୍ଚାୟତ ସହିତ କାମାକ୍ଷାନଗର ବ୍ଲକର ୬ ପଞ୍ଚାୟତକୁ ନେଇ ଗଠନ ହୋଇଥିଲା। ଏହି ଆସନଟି ଆରମ୍ଭରୁ ବିଜେଡି ହାତରେ ରହି ଆସିଛି l ୨୦୦୯ ମସିହାରେ କଂଗ୍ରେସ ଛାଡ଼ି ଶଙ୍ଖ ଧରିଥିବା ଡାକ୍ତର ନୃସିଂହ ସାହୁ ଲଗାତର ୩ଥର ଏଠାରୁ ବିଜେଡି ବିଧାୟକ ଭାବରେ ଜିତି ଆସିଛନ୍ତି। ସବୁଥର ନୃସିଂହଙ୍କୁ କଡ଼ା ଟକ୍କର ଦେଇ ଆସିଛନ୍ତି ଭାଜପାର ବିଭୂତି। ପାଲଲହଡ଼ାରୁ ଥରେ ଏବଂ ପରଜଙ୍ଗରୁ ୩ଥରକୁ ମିଶାଇ ଲଗାତର ୪ଥର ଭାଜପାର ବିଧାୟକ ପ୍ରାର୍ଥୀ ବିଭୂତି ନିଜର ପାରମ୍ପରିକ ପ୍ରତିଦ୍ବନ୍ଦ୍ୱୀ ଡାକ୍ତର ସାହୁଙ୍କ ଠାରୁ ପରାସ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହାର ମାନି ନାହାନ୍ତି ଏବଂ ଦଳ ମଧ୍ୟ ତାଙ୍କ ଉପରୁ ଆସ୍ଥା ହରାଇ ନାହିଁ। ତେବେ ପରଜଙ୍ଗର ୩ଟି ନିର୍ବାଚନ ପରିଣାମ ଉପରେ ଦୃଷ୍ଟି ପକାଇଲେ, କ୍ରମାନ୍ବୟରେ ବିଭୂତିଙ୍କ ପରାଜୟ ଭୋଟ ବ୍ୟବଧାନ କମ୍‌ ହୋଇଥିବା ଦେଖାଯାଇଛି। ୨୦୦୯ରେ ବ୍ୟବଧାନ ୫,୧୮୮ ଥିବାବେଳେ ୨୦୧୪ରେ ୩,୦୫୨ ଏବଂ ୨୦୧୯ରେ ବ୍ୟବଧାନ ୭୪୦ ରହିଥିଲା। ଏହି ଅନୁପାତ ଉପରେ ସମୀକ୍ଷା କଲେ ଆସନ୍ତା ୨୦୨୪ ନିର୍ବାଚନରେ ବିଭୂତିଙ୍କ ଅପେକ୍ଷାକୃତ ଭଲ ସ୍ଥିତିରେ ଅଛନ୍ତି ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଭଣଜା ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କୀୟ ଭାଇ ହୋଇଥିବାରୁ ବିଭୂତିଙ୍କୁ ଭୋଟରଙ୍କ ସମର୍ଥନ ମିଳିପାରେ ବୋଲି କୁହାଯାଉଛି।

Share