ଭାଜପାରୁ ଇସ୍ତଫା ଦେଲେ ରାମଚନ୍ଦ୍ର ପାଙ୍ଗି

ନନ୍ଦପୁର, ୪।୪(ଶଙ୍କର ପୂଜାରୀ): ପଟାଙ୍ଗି ବିଧାନସଭା ଆସନ ପାଇଁ ଭାଜପା ଟିକେଟ ନ ମିଳିବାରୁ ଆଶାୟୀ ପ୍ରାର୍ଥୀ ତଥା ରାଜ୍ୟ ଭାଜପାର କାର୍ଯ୍ୟକାରିଣୀ ସଦସ୍ୟ ରାମଚନ୍ଦ୍ର ପାଙ୍ଗି ବୁଧବାର ପାର୍ଟିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଥିବା କହିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ସେ ୨୦୧୯ ନିର୍ବାଚନରେ ପଟ୍ଟାଙ୍ଗି ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ। ଚଳିତ ନିର୍ବାଚନରେ ପ୍ରାର୍ଥୀ ହେବା ଆଶାରେ ଗତ ୫ବର୍ଷ ଧରି ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରେ ଲାଗିଥିଲେ। ଅଥଚ ଦଳ ତାଙ୍କୁ ଉପେକ୍ଷା କରି ଜଣେ ନବାଗତ ଚୈତନ୍ୟ ହନ୍ତାଳଙ୍କୁ ପ୍ରାର୍ଥୀ କରିଛି। ଏହା ତାଙ୍କୁ ବ୍ୟଥିତ କରିଛି। ଫଳରେ ସେ ଦଳର ପ୍ରାଥମିକ ସଦସ୍ୟ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କ ଇସ୍ତଫାପତ୍ର ଗ୍ରହଣ ସମ୍ପର୍କରେ ଜାଣିବାକୁ ଜିଲା ସଭାପତି ସୁମନ୍ତ ପ୍ରଧାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ସୁଦ୍ଧା ଫୋନ ନ ଲାଗିବାରୁ ପ୍ରଧାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Share