ସମ୍ବଲପୁର ଆସନରେ ଏଥର ହେଭିଓ୍ବେଟ ଲଢ଼େଇ: ଚର୍ଚ୍ଚାରେ ବାହାରିଆ ପ୍ରାର୍ଥୀ

ସମ୍ବଲପୁର,୧୧ା୪(ପ୍ରମୋଦ ବହିଦାର): ସମ୍ବଲପୁର ଲୋକ ସଭା ଆସନରେ ଏଥର ହେଭିଓ୍ବେଟ ଲଢ଼େଇ ହେବ। ଏହି ଆସନ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଏହାକୁ ଦଖଲ ପାଇଁ ଉଭୟ ବିଜେଡି ଓ ଭାଜପା ପ୍ରାଣପଣେ ଉଦ୍ୟମ କରିବେ। ଏଠାରେ ବିଜେଡିରୁ ଦଳର ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଓ ଭାଜପାରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ନିିଜନିଜ ଦଳରେ ଉଭୟଙ୍କ ବେଶ ପତିଆରା ରହିଛି। ମାତ୍ର ସମ୍ବଲପୁର ଭୋଟରଙ୍କୁ କିଏ ଅଧିକ ପ୍ରଭାବିତ କରି ଗ୍ରହଣୀୟ ହୋଇ ପାରିବେ ତାହା ଆଗାମୀ ଦିନରେ ଜଣାପଡ଼ିବ।

କଂଗ୍ରେସ ଏପର୍ଯ୍ୟନ୍ତ ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଧର୍ମେନ୍ଦ୍ର ଗତ ଦେଢ଼ବର୍ଷ ହେଲା ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲି ଭୋଟରଙ୍କ ନିକଟତର ହେବା ଅଭିଯାନ ଆରମ୍ଭ କରି ଦେଇଛନ୍ତି। ନିୟମିତ ଭାବେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଧାନସଭା କ୍ଷେତ୍ର ଗସ୍ତ କରି ସଭା ସମିତିରେ ଯୋଗଦେଇ ଆସିଛନ୍ତି। ଚଳିତମାସ ୩ରେ ସେ ଅନୁଗୋଳ ଜିଲା ବ୍ରାହ୍ମଣବିଲ ଗ୍ରାମରୁ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ମୋଦିଙ୍କ ବିକାଶକୁ ପାଥେୟ କରି ସାଧାରଣ ଜନତାଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି। ଅପରପକ୍ଷେ ପ୍ରଣବ(ବବି) ରାଜ୍ୟରେ ବିଜେଡି ସଂଗଠନକୁ ତୃଣମୂଳ ସ୍ତରରୁ ଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସିଛନ୍ତି। ସେ ମଧ୍ୟ ଚଳିତ ମାସ ୪ ରେ ଦେବଗଡ଼ରୁ ପ୍ରଚାର ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପାଇଁ ସେ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇ ଭୋଟରଙ୍କ ନିକଟତର ହୋଇଛନ୍ତି। ତେବେ ଉଭୟ ପ୍ରାର୍ଥୀ ସମ୍ବଲପୁର ନର୍ବାଚନମଣ୍ଡଳୀ ବାହାରୁ ଆସିଥିବା ପ୍ରସଙ୍ଗକୁ ନେଇ ଏଠାରେ ଚର୍ଚ୍ଚା ଜୋର ଧରିଛି। ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀର ବହୁ ଗାଁର ଜନସାଧାରଣଙ୍କ ମଧ୍ୟରେ ବିଜେଡି, ଶଙ୍ଖଚିହ୍ନ ଓ ନବୀନ ପଟ୍ଟନାୟକ ବେଶ ପରିଚିତ। ଆଉ ବବିଙ୍କ ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତିର ଛାପ ଏଠାରେ ତାଙ୍କ ବିଜୟ ପଥକୁ ସୁଗମ କରିପାରେ ବୋଲି ଚର୍ଚ୍ଚା ହେଉଛି। ଗୋଟିଏ ପଟେ ମୋଦିଙ୍କ ବିକାଶ ଓ ଅନପଟେ ନବୀନଙ୍କ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତିକୁ ପାଥେୟ କରି ଉଭୟ ହେଭିୱେଟ୍‌ ନେତା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ତେବେ ଉଭୟଙ୍କ ପ୍ରାର୍ଥିତ୍ୱକୁ ନେଇ ସମ୍ବଲପୁର ଜନସାଧାରଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।

Share