Categories: ଜାତୀୟ

ଭଗତ ସିଂ-ଆମ୍ବେଡକରଙ୍କ ମଝିରେ ଲାଗିଛି ଫଟୋ, ସୁନୀତା ପଢ଼ିଲେ ଜେଲ୍‌ରୁ କେଜ୍‌ରିଓ୍ବାଲ ପଠାଇଥିବା ବାର୍ତ୍ତା

ନୂଆଦିଲ୍ଲୀ,୪।୪: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ ଜେଲରେ ଅଛନ୍ତି, କିନ୍ତୁ ଜେଲରୁ ପତ୍ନୀ ସୁନୀତାଙ୍କ ମାଧ୍ୟମରେ ଜନସାଧାରଣ ଏବଂ ଆମ ଆଦମୀ ପାର୍ଟି ବିଧାୟକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଉଛନ୍ତି। ଗୁରୁବାର ଅର୍ଥାତ ୪ ଏପ୍ରିଲରେ ସୁନୀତା ଏକ ଖବରଦାତା ସମ୍ମିଳନୀ କରି କେଜ୍‌ରିଓ୍ବାଲ ଦେଇଥିବା ବାର୍ତ୍ତା ଲୋକଙ୍କ ସହ ବାଣ୍ଟିଛନ୍ତି। ଏହି ସମୟରେ ସୁନୀତା ବସିଥିବା ଚେୟାର ପଛରେ କେଜ୍‌ରିୱାଲଙ୍କ ଫଟୋ ଭଗତ ସିଂ ଏବଂ ଡକ୍ଟର ଭୀମରାଓ ଆମ୍ବେଡକରଙ୍କ ଫଟୋ ମଝିରେ ଲଗାଯାଇଥିବା ଦେଖିବାକୁ ମିଳିଛି।
ଲୋକଙ୍କୁ କେଜ୍‌ରିଓ୍ବାଲ ବାର୍ତ୍ତା ଦେଇ କହିଛନ୍ତି, ମୁଁ ଜେଲରେ ଥିବାରୁ ମୋର ଦିଲ୍ଲୀବାସୀ କୌଣସି ସମସ୍ୟାର ସମ୍ମୁଖୀନ ହେବା ଉଚିତ ନୁହେଁ।  ପ୍ରତ୍ୟେକ ବିଧାୟକ ଅଞ୍ଚଳକୁ ଗସ୍ତ କରି ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝନ୍ତୁ। ଯାହାର ଯାହା ସମସ୍ୟା ଥାଉନା କାହିଁକି ତାର ସମାଧାନ କର। କେବଳ ସରକାରୀ ବିଭାଗର ସମସ୍ୟାର ସମାଧାନ ବିଷୟରେ କହୁନାହିଁ, ଆମକୁ ଲୋକମାନଙ୍କର ଅନ୍ୟାନ୍ୟ ସମସ୍ୟାର ମଧ୍ୟ ସମାଧାନ କରିବାକୁ ପଡିବ। ଏହାଛଡ଼ା ଦିଲ୍ଲୀର ୨ କୋଟି ଲୋକ ମୋର ପରିବାର ଏବଂ ମୋ ପରିବାରର କେହି କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ଦେବି ନାହିଁ, ଭଗବାନ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।
କହିରଖୁଛୁ, ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ୨ ଘଣ୍ଟା ପଚରାଉଚରା ପରେ ମାର୍ଚ୍ଚ ୨୧ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ତାଙ୍କ ଘରୁ ଗିରଫ କରାଯାଇଥିଲା। ଦିଲ୍ଲୀ ସରକାର ନଭେମ୍ବର ୨୦୨୧ ରେ ମଦ ନୀତି ଆରମ୍ଭ କରିଥିଲେ, ଏହାର କିଛି ସମୟ ପରେ ୨୦୨୨ ମସିହାରେ ଅନିୟମିତତା ଖବର ପ୍ରକାଶ ପାଇଥିଲା। ସୂଚନା ପାଇବା ପରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ଏବଂ ଏହି ମାମଲା ସହ ଜଡିତ ଲୋକଙ୍କୁ ଗିରଫ କରିବା ସେପ୍ଟେମ୍ବର ୨୦୨୨ ରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ସମୁଦାୟ ୧୬ ଜଣଙ୍କୁ ଗିରଫ କରାଯାଇଛି। କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଅରବିନ୍ଦ କେଜ୍‌ରିଓ୍ବାଲ ଏପ୍ରିଲ ୧୫ ପର୍ଯ୍ୟନ୍ତ ଜେଲରେ ରହିବେ। ତାଙ୍କ ପରିବାର ସଦସ୍ୟ ଏବଂ ତାଙ୍କର ୩ ବନ୍ଧୁଙ୍କୁ ତାଙ୍କୁ ଜେଲରେ ଭେଟିବାକୁ ଅନୁମତି ଦିଆଯାଇଛି।
Share