ସସ୍‌ପେଣ୍ଡ ଭୟରେ କ’ଣ ମୋ’ ପୁଅ ପାଇଁ ପ୍ରଚାର କରିବି ନାହିଁ? ପ୍ରଶ୍ନ କରି ଜବାବ ରଖିଲେ ସୁର…

ଭୁବନେଶ୍ୱର,୨।୪: ବାପା କଂଗ୍ରେସର ବରିଷ୍ଠ ନେତା, ହେଲେ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ପୁଅ। ଏହାକୁ ନେଇ ପରିବାର ସହ ଦଳ ପକ୍ଷରୁ ନାନାଦି ପ୍ରଶ୍ନର ସମ୍ମୁଖୀନ ହେଉଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ନିକଟରେ ଏକ ସଭାରେ ପୁଅଙ୍କୁ ଭୋଟ ଦେବାକୁ କହିଥିବାକୁ ନେଇ ଦଳ ପକ୍ଷରୁ ନୋଟିସ୍‌ ମିଳିବା ପରେ ଏବେ ମୁହଁ ଖୋଲିଛନ୍ତି ସେ।
ସୁର କହିଛନ୍ତି, ମୁଁ କୌଣସି ଦଳ ପକ୍ଷରୁ ପ୍ରଚାର କରିନାହିଁ କିମ୍ବା ଚିହ୍ନ ନେଇ ଯାଇନାହିଁ। ଏହାସତ୍ତ୍ୱେ ମୋତେ କାହିଁକି ଗଲ ବୋଲି ନୋଟିସ୍‌ ହେଉଛି। ନୋଟିସ୍‌ ପାଇଁ କ’ଣ ମୋ’ ପୁଅକୁ ପୁଅ ବୋଲି କହିବି ନାହିଁ। ମୁଁ ଦଳରେ ଅଛି, କାଲି ରହି ନ ପାରେ। ମୋତେ ପଚରାଯାଉଛି ପୁଅଙ୍କୁ ଟିକେଟ ଦେବାକୁ ମୁଁ କାହିଁକି କହିଲି। ମୁଁ ସିନା ଦଳ ଧରି ବୁଲି ପାରିବିନି, ଚିହ୍ନ ଧରି ବୁଲିପାରିବିନି, ଦଳର ରାଲିକୁ ଯିବିନାହିଁ। ହେଲେ ମୋ’ ପୁଅ ପାଇଁ କ’ଣ ପ୍ରଚାର କରିବି ନାହିଁ। ଏଗୁଡ଼ାକ କିଭଳି କଥା। ଯଦି ଦଳରୁ ବହିଷ୍କାର କରିବେ କରନ୍ତୁ। ମୁଁ ଜଣେ ଶତ ପ୍ରତିଶତ କଂଗ୍ରେସ କର୍ମୀ। ଦଳକୁ ତିଳେମାତ୍ର ଅବହେଳା କରି ନ ପାରେ। ହେଲେ ସସ୍‌ପେଣ୍ଡ ଭୟରେ ମୋ ପୁଅକୁ କ’ଣ ପୁଅ ବୋଲି କହିବି ନାହିଁ ବୋଲି ସୁର ରାଉତରାୟ ପ୍ରଶ୍ନ କରିଛନ୍ତି।
ପ୍ରକାଶ ଥାଉ କି, ନିର୍ବାଚନ ଦୃଷ୍ଟିକୋଣରୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଗୁରୁତ୍ୱ ଅଧିକ। ୨୦୨୪ ନିର୍ବାଚନରେ ଭାଜପା ପୁଣିଥରେ ଏହି ଆସନରୁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ସୁରଙ୍କ ସାନପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି। ମନ୍ମଥ ଏବଂ ଅପରାଜିତାଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି।