‘ଓଡ଼ିଶାର ନେତା ମାଟିର ପୁଅ ହୁଅନ୍ତୁ’

ଭୁବନେଶ୍ୱର,୪।୫: ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଏକ ଖବରଦାତା ସମ୍ମିଳନୀରେ ମୋଦିଙ୍କ ବିକାଶଧାରା ସହ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଛନ୍ତି। ଏହି କ୍ରମରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ସେ ମନ୍ତବ୍ୟ ଦେଇ କହିଛନ୍ତି, ରାଜ୍ୟରେ ପ୍ରାକୃତିକ ସମ୍ପଦ ଏବଂ ପ୍ରତିଭା ଭରପୂର ରହିଛି। ସବୁକିଛି ଥାଇ ବି ଓଡ଼ିଶା ସେହି ଅନୁପାତରେ ବିକଶିତ କି? ଆଜିର ଓଡ଼ିଶାକୁ ଦେଖିଲେ ବିକାଶ ହୋଇଥିବା ଭଳି ଲାଗୁଛି କି? ଓଡ଼ିଶାର କଳା, ସଂସ୍କୃତି କେତେ ସମୃଦ୍ଧ ତାହା କହିବା ଅନାବଶ୍ୟକ। ଏଥିଲାଗି କୋଣାର୍କ ଚକ୍ରକୁ ଜି-୨୦ରେ ସାମିଲ କରାଯାଇଥିଲା। ଏତେ ସବୁ ଥାଉ ଥାଉ ପ୍ରଧାନମନ୍ତ୍ରୀ କୋଣାର୍କ ଚକ୍ରକୁ ବାଛିଲେ କାହିଁକି? ଓଡ଼ିଶାରୁ ଯାହା ଆମେ ସମସ୍ତେ ଆଶା କରୁଛୁ, ତାହା ପାଉଛୁ କି। କଳା ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜ ନେତା ସୃଷ୍ଟି ପାଇଁ ସକ୍ଷମ। ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ ବୋଲି ସେ କହିଛନ୍ତି।

ଏହାଛଡ଼ା ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ପ୍ରତି ଭଲପାଇବା ନେଇ କହିଛନ୍ତି ଯେ, ତାଙ୍କ ଦୃଷ୍ଟିରେ ଓଡ଼ିଶାର ମର୍ଯ୍ୟାଦା ସ୍ବତନ୍ତ୍ର। ଜି ୨୦ରେ କୋଣାର୍କ ଚକ୍ରକୁ ସ୍ଥାନିତ କରିଥିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର କଳା, ସଂସ୍କୃତିକୁ ମୋଦିଙ୍କ ଭଲପାଇବାର ଏହା ନିଦର୍ଶନ। ଓଡ଼ିଆ ଲୋକଙ୍କ ମଧ୍ୟରେ ବହୁତ ପ୍ରତିଭା,ଜ୍ଞାନ ରହିଛି। ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ରରୁ ଓଡ଼ିଶାକୁ ଅନେକ ସହଯୋଗ ମିଳିଛି। ମୋଦିଙ୍କ କାର୍ଯ୍ୟକାଳରେ ୨୦ ପାର୍ସପୋର୍ଟ ସପୋର୍ଟ କେନ୍ଦ୍ର ଖୋଲିଛି। ୨.୭ ଲକ୍ଷ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିଛି। ୫୩ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ମିଳିଛି। ସ୍ବନିଧି ଯୋଜନାରେ ୫୪ ହଜାର ଉପଭୋକ୍ତା ଓଡ଼ିଶାରେ ଅଛନ୍ତି। ମୋଦିଙ୍କ ବିକାଶକୁ ଆଗେଇ ନେବା ଭଳି ସରକାର ଏଠାରେ ହେବା ଉଚିତ। ଓଡ଼ିଶା ସହଯୋଗରେ ସଂସଦରେ ୪ଶହ ପାର୍‌ ହେବା ବିଶ୍ୱାସ। ଦେଖିବାକୁ ଗଲେ ଓଡ଼ିଶାରେ ଥିବା ସମ୍ପଦ ତୁଳନାରେ ରାଜ୍ୟର ବିକାଶ ହୋଇନାହିଁ। ଚଳିତ ନିର୍ବାଚନରେ ଓଡ଼ିଶାବାସୀ ମୋଦିଙ୍କୁ ସଶକ୍ତ କରିବେ ବୋଲି ବିଶ୍ୱାସ ରହିଛି।