ଅଳିଆ ଗଦାରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, ପୋଲିସ ହାତରେ ଲାଗିଲା ମେଡିକାଲ ରସିଦ

ରାୟଗଡ଼ା,୧୮।୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ସହର ନୂତନ ବସ୍‌ଷ୍ଟାଣ୍ଡ ସମ୍ମୁଖରେ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ କଡ଼ର ଅଳିଆ ଗଦାରୁ ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ମୃତଦେହ ସହିତ ଏକ ସରକାରୀ ଚିକିତ୍ସାଳୟର ରସିଦ ମଧ୍ୟ ଥିବା ଦେଖାଯାଇଛି। ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ଘଟଣାରୁ ପ୍ରକାଶ ଯେ, ସହର ପରିମଳ ବ୍ୟବସ୍ଥା ପାଇଁ କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀ ସଫେଇ କରୁଥିବା ବେଳେ ବସଷ୍ଟାଣ୍ଡର ବିପରୀତ ଦିଗରେ ଏକ ନବଜାତ ଶିଶୁପୁତ୍ରର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହା ଦେଖିବା ପରେ କଂଗ୍ରେସ ନେତା ଭବାନୀ ଶଙ୍କର ଜେନାଙ୍କୁ ସୂଚନା ଦେଇଥିଲେ। ଭବାନୀ ଜେନା ସେଠାରେ ପହଞ୍ଚିବା ପରେ ପୋଲିସ ଓ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଜବତ ହୋଇଥିବା ମେଡିକାଲ ରସିଦରେ କାଶିପୁର ବ୍ଲକ ଡଙ୍ଗାସିଲ ଅନ୍ତର୍ଗତ ବାମନିପୁଟ ଗ୍ରାମର ଜଣେ ମହିଳା ଓ ତାଙ୍କ ସ୍ବାମୀଙ୍କ ନାମ ଉଲ୍ଲେଖ ରହିଛି।

Share