‘୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ ପାଇଁ ଓଡ଼ିଶା ପ୍ରସ୍ତୁତ’ : ଆଉ ୧ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଆସିଲା

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଆସନ୍ତା ମେ’ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ ବୋଲି ସୋମବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ୧୮ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଟିକାକରଣ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ମଙ୍ଗଳବାର ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି। ମେ’ ୧ରୁ ଓଡ଼ିଶା ଯୁବବର୍ଗଙ୍କୁ ଟିକାକରଣ ନେଇ ବ୍ୟବସ୍ଥା କରାଯିବ। ଟିକା ଦେବା ପାଇଁ ରାଜ୍ୟରେ ଅଧିକ ସେସନ ସାଇଟ୍‌ ଓ ଟିକାକରଣ କେନ୍ଦ୍ର ଖୋଲାଯିବ ବୋଲି ସେ କହିଛନ୍ତି। କୋଓ୍ବିନ ଆପ୍‌ ଓ ସ୍ପଟ୍‌ ରେଜିଷ୍ଟ୍ରେଶନ ମାଧ୍ୟମରେ ପଞ୍ଜୀକରଣ କରାଯିବା ପରେ ଟିକାକରଣ ହେବ। ତେବେ ରାଜ୍ୟ ସରକାର ଟିକା ଆଣିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଗାଇଡ୍‌ଲାଇନ୍‌ ପରେ ଟିକା ଆଣିବେ କି ନାହିଁ ସେନେଇ ସରକାର ନିଷ୍ପତ୍ତି ନେବେ। ଅନ୍ୟପଟେ ସରକାରୀ ଓ ଘରୋଇ ହସ୍‌ପିଟାଲରେ ପୂର୍ବଭଳି ଟିକାକରଣ ଚାଲୁ ରହିବ। ମଙ୍ଗଳବାର ଓଡ଼ିଶାକୁ ୧ ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା ଆସିଛି। ବର୍ତ୍ତମାନ ରାଜ୍ୟର ୯୦୦ କେନ୍ଦ୍ରରେ ଟିକାକରଣ ଚାଲିଥିବାବେଳେ ସହରାଞ୍ଚଳଗୁଡ଼ିକରେ ସପ୍ତାହାନ୍ତ ଶଟ୍‌ଡାଉନ୍‌ ସମୟରେ ଟିକାକରଣ ବନ୍ଦ ରହିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Share