ଭୁବନେଶ୍ୱର, ୧୨।୮(କ୍ରୀଡ଼ା ପ୍ରତିନିଧି):ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଅନୁଷ୍ଠିତ ମହିଳା ଟି୨୦ କ୍ରିକେଟ ପ୍ରତିଯୋଗିତା ଗୁରୁବାର ଶେଷ ହୋଇଛି। ଏଥିରେ ଓଡ଼ିଶା ରେଡ୍ ଓ ଓଡ଼ିଶା ଭାଓଲେଟକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଛି। ଉଭୟ ଦଳ ଫାଇନାଲରେ ପ୍ରବେଶ କରିଥିବାବେଳେ ପ୍ରତିକୂଳ ପାଗ ଯୋଗୁ ମ୍ୟାଚ ସମ୍ଭବ ହୋଇ ନ ଥିଲା। ପ୍ରତିଯୋଗିତାରେ ମୋଟ ୫ଟି ଦଳ ଅଂଶଗ୍ରହଣ କରିଥିଲେ। ସୁଶ୍ରୀ ଦିବ୍ୟଦର୍ଶିନୀ ଏମ୍ଜିଏମ୍ ପ୍ଲେୟର ଅଫ୍ ଦି ସିରିଜ, ଜି.ଏମ୍. ଅଳକାନନ୍ଦା ଇମର୍ଜିଂ ପ୍ଲେୟର ଅଫ୍ ଦି ସିରିଜ, କାଜଲ ଜେନା ସିରିଜର ଶ୍ରେଷ୍ଠ ବ୍ୟାଟର, ରସନାରା ପରବିନ ଶ୍ରେଷ୍ଠ ବୋଲର ଏବଂ ଶ୍ରେୟା ପ୍ରିୟଦର୍ଶିନୀ ସିରିଜର ସର୍ବକନିଷ୍ଠ ପ୍ରତିଭା ପୁରସ୍କାର ପାଇଥିଲେ। ଉଦ୍ଯାପନୀ ଉତ୍ସବରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡ୍ରିମ୍ସ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଶନ୍ସର ଚେୟାରମ୍ୟାନ ପ୍ରମୋଦ ଚନ୍ଦ୍ର ରଥ, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଯୁଗ୍ମ ସମ୍ପାଦକ ମେହତାବ ଖାଁ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।