Categories: ଖେଳ

କର୍ନାଟକ ସହ ପଏଣ୍ଟ ବାଣ୍ଟିଲା ଓଡ଼ିଶା

ଭୁବନେଶ୍ୱର,୨୦ା୨ (ସ୍ପୋଟର୍‌ସ ବ୍ୟୁରୋ): ୭୬ତମ ସନ୍ତୋଷ ଟ୍ରଫି ଫୁଟ୍‌ବଲର ଅନ୍ତିମ ପର୍ଯ୍ୟାୟ ମ୍ୟାଚ୍‌ରେ ରବିବାର ଆୟୋଜକ ଓଡ଼ିଶା କର୍ନାଟକ ସହ ପଏଣ୍ଟ ବାଣ୍ଟିଛି। ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ କେରଳ-ପଞ୍ଜାବ ମ୍ୟାଚ୍‌ ଡ୍ର ରହିଥିବା ବେଳେ ଗୋଆକୁ ପରାସ୍ତ କରିଛି ମହାରାଷ୍ଟ୍ର। କ୍ୟାପିଟାଲ ଫୁଟ୍‌ବଲ ଆରେନାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଗୋଆକୁ ୨-୦ରେ ପରାସ୍ତ କରିଥିଲା ମହାରାଷ୍ଟ୍ର। ମହାରାଷ୍ଟ୍ର ପକ୍ଷରୁ ହିମାଂଶୁ ପାଟିଲ ୫ ଓ ୮୯ତମ ମିନିଟ୍‌ରେ ଡବଲ ଗୋଲ ସ୍କୋର କରିଥିଲେ। ୭ମ ବାଟାଲିୟନ ଷ୍ଟାଡିୟମରେ କେରଳ ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ଟି ଡ୍ରରେ ଶେଷ ହୋଇଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଉଭୟ ଦଳ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ୨୪ତମ ମିନିଟରେ କେରଳର ଭିଶାକ ମୋହନନ ପ୍ରଥମ ଗୋଲ ଦେଇଥିବା ବେଳେ ଏହାର ୧୦ ମିନିଟ ମଧ୍ୟରେ ପଞ୍ଜାବ ପକ୍ଷରୁ ରୋହିତ ଶେଖ୍‌ ଗୋଲ୍‌ଟି ପରିଶୋଧ କରିଥିଲେ। ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ପକ୍ଷରୁ ଆପ୍ରାଣ ଉଦ୍ୟମ ହୋଇଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେଇପାରି ନ ଥିଲେ।
ଓଡ଼ିଶା-କର୍ନାଟକ ମ୍ୟାଚ୍‌ ଡ୍ର: କ୍ୟାପିଟାଲ ଫୁଟ୍‌ବଲ ଆରେନାରେ ଖେଳାଯାଇଥିବା ଓଡ଼ିଶା ଓ କର୍ନାଟକ ମ୍ୟାଚ୍‌ ୨-୨ରେ ଅମୀମାଂସିତ ରହିଛି। ଓଡ଼ିଶା ପକ୍ଷରୁ ପ୍ରବୀଣ ଟିଗ୍ଗା (୨୧) ଓ ଚନ୍ଦ୍ର ମୁଦୁଲି (୩୫) ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ସେହିପରି କର୍ନାଟକ ପକ୍ଷରୁ ଏମ୍‌. ସୁନୀଲ କୁମାର (୧୭) ଓ ଶାଜାନ ଫ୍ରାଙ୍କଲିନ୍‌(୫୦) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ୧୭ତମ ମିନିଟରେ ସୁନୀଲଙ୍କ ଗୋଲରେ କର୍ନାଟକ ୧-୦ରେ ଆଗୁଆ ରହିଥିଲା। ଏହାର ୪ ମିନିଟ୍‌ ପରେ ଟିଗ୍ଗା ଓରାମ ଗୋଲ ପରିଶୋଧ କରିବା ସହିତ ମ୍ୟାଚ୍‌କୁ ସମାନ ସ୍ଥିତିକୁ ଆଣିଥିଲେ। ୩୫ତମ ମିନିଟ୍‌ରେ ଚନ୍ଦ୍ରଙ୍କ ଗୋଲ ବଳରେ ଓଡ଼ିଶା ୨-୧ରେ ଆଗୁଆ ରହିଥିଲା। ପ୍ରଥମାର୍ଦ୍ଧରେ ଓଡ଼ିଶା ୨-୧ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧର ୫୦ତମ ମିନିଟରେ ଶାଜାନ କର୍ନାଟକ ପକ୍ଷରୁ ସ୍କୋର କରିବା ସହିତ ଉଭୟ ଦଳ ପଏଣ୍ଟ ବାଣ୍ଟିଥିଲେ। କର୍ନାଟକ ସେମିରେ ପ୍ରବେଶ କରିସାରିଥିବା ବେଳେ ଓଡ଼ିଶା ସେମି ଦୌଡ଼ରୁ ବାଦ୍‌ ପଡ଼ିସାରିଛି।

Share