ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ସିମୁଳିଆ,୧୮।୧(ଡି.ଏନ୍‌.ଏ.): ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଖୋ-ଖୋ, ସଫ୍ଟବଲ ଓ ଟେନିକଏଟ ପ୍ରତିଯୋଗିତା ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ରଘୁନାରାୟଣ ଉଚ୍ଚ ବିଦ୍ୟାଳୟ ପରିସର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଉଦ୍‌ଘାଟିତ ହୋଇଛି। ଏଥିରେ ୧୪ ଓ ୧୭ବର୍ଷ ବୟସରୁ କମ୍‌ ବାଳିକାବାଳକମାନେ ଅଂଶଗ୍ରହଣ କରିଛନ୍ତି। ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରୀଡା ସଙ୍ଗଠନ ଏବଂ ଜିଲା ବିଦ୍ୟାଳୟ କ୍ରୀଡା ସଙ୍ଗଠନ ବାଲେଶ୍ୱର ଦ୍ୱାରା ଆୟୋଜିତ ଏହି ଉତ୍ସବ ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅବସରରେ ସୋମବାର ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବକୁ ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି ରୂପେ ଉଦ୍‌ଘାଟନ କରିଥିଲେ। ଜିଲା ଶିକ୍ଷା ଅଧିକାରୀ ବିଷ୍ଣୁଚରଣ ସୂତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଭାରପ୍ରାପ୍ତ ଶାରିରୀକ ଶିକ୍ଷା ନୀରିକ୍ଷକ ଆଶୋକ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସପନ କୁମାର ଜେନା, ଶାରୀରିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସପନ କୁମାର ଜେନା, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ ପ୍ରମୁଖ ଯୋଗ ଦେଇଥିଲେ। ରଘୁନାରାୟଣ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କ୍ରୀଡା ଉତ୍ସବକୁ ପରିଚାଳନା କରିବା ପାଇଁ ରାଜ୍ୟର ବିଭିନ୍ନ ବିଦ୍ୟାଳୟରୁ ୨ଶହ ଶାରୀରିକ କ୍ରୀଡା ନିରୀକ୍ଷକ ଯୋଗ ଦେଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ୧୪ବର୍ଷ ବୟସରୁ କମ୍‌ ଟେନିକଏଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଏହି ଅବସରରେ ମୁଖ୍ୟଅତିଥି ରୂପେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଶାରିରିକ ସହ କ୍ରୀଡା ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।