Categories: ଖେଳ

ନୂଆ-ଓ ନବୀନ ଓଡ଼ିଶା ରାଜ୍ୟସ୍ତରୀୟ ଭଲିବଲ ଉଦ୍‌ଘାଟିତ

ଭୁବନେଶ୍ୱର, ୩୧।୧(ତପନ ସ୍ବାଇଁ): ଓଡ଼ିଶା ଭଲିବଲ ଆସୋସିଏଶନ ସହଯୋଗରେ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ନୂଆ-ଓ ନବୀନ ଓଡ଼ିଶା ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଏହି ପ୍ରତିଯୋଗିତା ଉଦ୍‌ଘାଟନ କରିଛନ୍ତି। ପ୍ରତିଯୋଗିତାରେ ୮୫୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଏହା ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ”ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରି ଆସୁଥିବାରୁ କ୍ରୀଡ଼ା ଆଜି ଓଡ଼ିଶାର ପ୍ରତି ଗାଁରେ ପହଞ୍ଚିପାରିଛି। ତାଙ୍କ ଦୂରଦୃଷ୍ଟି ଯୋଗୁ ଓଡ଼ିଶା ଆଜି କ୍ରୀଡ଼ାରେ ଅଗ୍ରଣୀ ହୋଇପାରିଥିବା ବେଳେ ଓଡ଼ିଶାର ଖେଳାଳି ବାହାରେ ନାଁ କମେଇ ପାରୁଛନ୍ତି। ଭୁବନେଶ୍ୱର ଭାରତର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇପାରିଛି“ ବୋଲ ଅଚ୍ୟୁତ ପ୍ରକାଶ କରିଛନ୍ତି। କିଟ୍‌ ଓ କିସ୍‌ ମଧ୍ୟ ଗୁଣାତ୍ମକ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଭାବେ ଗୁରୁତ୍ୱ ଦେଇ ଆସୁଛି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ସଚିବ ରଞ୍ଜିତ ପରିଡ଼ା, ଓଡ଼ିଶା ହକି ପ୍ରମୋଶନ କାଉନ୍‌ସିଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପଙ୍କର ମହାପାତ୍ର, କ୍ରୀଡ଼ା ଓ ଯୁବସେବା ବିଭାଗ ଓଏସ୍‌ଡି ସ୍ବରୂପାନନ୍ଦ ସାହୁ ଓ ଓଡ଼ିଶା ଭଲିବଲ୍‌ ସଂଘ ସମ୍ପାଦକ ତଥା କିଟ୍‌ କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Share