ରାଉରକେଲା,୨୬ା୩(ସଙ୍ଗୀତା ଜେନା): ପୁରୀରୁ ରାଉରକେଲା ଅଭିମୁଖେ ଆସୁଥିବା ବନ୍ଦେଭାରତ ଏକ୍ସପ୍ରେସ୍ରେ ବୁଧବାର ପଥର ମାଡ଼ ହୋଇଛି। ଏକ ବଗିର ଝରକା ପାଖ କାଚ ଭାଙ୍ଗି ଯାଇଥିବା ବେଳେ କେହି ଯାତ୍ରୀ ଆହତ ହୋଇ ନ ଥିବା କୁହାଯାଇଛି। ଟ୍ରେନ କ୍ଷତିଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ ରେଳବାଇ ସୁରକ୍ଷାବଳ ଏବଂ ଜିଆରପି ମାମଲା ତଦନ୍ତ କରୁଛନ୍ତି। ତେବେ ଖବର ଲେଖା ହେବା ସୁଦ୍ଧା କୌଣସି ମାମଲା ରୁଜୁ ହୋଇ ନ ଥିବା ରେଳବାଇ ସୁରକ୍ଷାବଳ ପକ୍ଷରୁ ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, କଲୁଙ୍ଗା ଷ୍ଟେଶନ ନିକଟରେ ବନ୍ଦଭାରତ ଟ୍ରେନ ଅପରାହ୍ନ ୧ଟାରେ (ନଂ. ୨୦୮୩୫) ଅତିକ୍ରମ କରୁଥିବା ବେଳେ ପଥରମାଡ଼ ହୋଇଥିଲା। ସମ୍ଭବତଃ କେହି ଛୋଟପିଲା କିମ୍ବା ମାନସିକ ରୋଗୀ ଏପରି କରିଥାଇପାରନ୍ତି ବୋଲି ପ୍ରାଥମିକ ତଦନ୍ତରେ ଆରପିଏଫ୍ କହିଛି। ତେବେ ସ୍ଥାନୀୟ ପୋଲିସ ମଧ୍ୟ ତଦନ୍ତରେ ସହଯୋଗ କରୁଛି। ରାଉରକେଲା ଷ୍ଟେଶନରେ ଟ୍ରେନ ପହଞ୍ଚିବା ପରେ ଏହାର ମରାମତି କରାଯାଇଥିଲା।
ଫଟୋ- ପଥର ମାଡରେ ଟ୍ରେନର କାଚ ଭାଙ୍ଗିଯାଇଛି।