ଭୁବନେଶ୍ୱର, ୧୪।୧୧,(ତପନ ସ୍ବାଇଁ): ଅନ୍ତର୍ଜାତୀୟ ବିଲିୟାଡର୍ସ ଆଣ୍ଡ ସ୍ନୁକର ଫେଡେରେଶନ (ଆଇବିଏଓ୍ଏଫ୍)ର ବିଶ୍ୱ ସ୍ନୁକର ଚାମ୍ପିୟନଶିପ୍ ଚଳିତ ମାସ ୧୫ରୁ କାତାରର ଦୋହାଠାରେ ଆରମ୍ଭ ହେବ। କାତାର ବିଲିୟାଡର୍ସ ଆଣ୍ଡ ସ୍ନୁକର ଫେଡେରେଶନ ଆନୁକୂଲ୍ୟରେ ଆୟୋଜନ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ତାରକା ଖେଳାଳି ସୁବ୍ରତ ଦାସ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ପ୍ରତିଯୋଗିତା ୨୪ ତାରିଖରେ ଶେଷ ହେବ। ଓଡ଼ିଶାର ଏକମାତ୍ର ଖେଳାଳିଭାବେ ସୁବ୍ରତ ସିନିୟର ସ୍ତରରେ ଆଇବିଏସ୍ଏଫ୍ ବିଶ୍ୱ ଚାମ୍ପିୟନଶିପ୍ରେ ଭାଗ ନେବାକୁ ଯାଉଛନ୍ତି। ଏହା ପୂର୍ବରୁ ଆଶୁତୋଷ ପାଢ଼ୀ ଜୁନିୟର ବର୍ଗରେ ଆଇବିଏସ୍ଏଫ୍ ବିଶ୍ୱ ଚାମ୍ପିୟନଶିପ୍ରେ ଅଂଶଗ୍ରହଣର ସୁଯୋଗ ପାଇଥିଲେ। ବିଲିୟାଡର୍ସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ୍ ଓଡ଼ିଶା ପକ୍ଷରୁ ସୁବ୍ରତଙ୍କୁ ଶୁଭକାମନା ଜଣାଯାଇଛି।