ଭୁବନେଶ୍ୱର,୨୧ା୬(ବ୍ୟୁରୋ)-କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ କଂଗ୍ରେସ ମଧ୍ୟ ଏହି ଯୋଜନାକୁ ପ୍ରତ୍ୟାହାର କରି ନେବାକୁ ଦାବି କରିଛି। ହେଲେ ରାଜ୍ୟ ସରକାର ଏହି ଯୋଜନାକୁ ସମର୍ଥନ କରିଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଅଗ୍ନିପଥ ଯୋଜନାକୁ ସମର୍ଥନ କରିଛନ୍ତି।
ଅଗ୍ନିପଥ ଏକ ଉତ୍ତମ ଯୋଜନା। ଦଶମ ଓ ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ଯୁବକମାନେ ସେନାରେ ଭର୍ତ୍ତି ହେବାକୁ ପ୍ରସ୍ତୁତ ହୋଇଥାଆନ୍ତି। ଅଗ୍ନିପଥ ଯୋଜନା ସେମାନଙ୍କ ପାଇଁ ଏକ ଭଲ ସୁଯୋଗ । ଏଥିସହିତ ଅଗ୍ନିବୀର ଭାବେ ସେବା ନିବୃତ୍ତ ହେବା ପରେ ସେମାନଙ୍କୁ ବିଭିନ୍ନ ଚାକିରି କ୍ଷେତ୍ରରେ ଅଗ୍ରାଧିକାର ମିଳିବ। ତେବେ ଓଡ଼ିଶା ପୋଲିସରେ ଅଗ୍ନିବୀରମାନଙ୍କୁ ଅଗ୍ରାଧିକାର ଦେବା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ଏନ୍ସିସି ପ୍ରାର୍ଥୀମାନଙ୍କୁ ଓଡ଼ିଶା ପୋଲିସରେ ଅଗ୍ରାଧିକାର ଦିଆଯାଉଛି। ଅଗ୍ନିବୀରମାନଙ୍କୁ ଅଗ୍ରାଧିକାର ଦେବା ଲାଗି ଖୁବ୍ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।