ଭୁବନେଶ୍ୱର,୪।୩(ଅନୁରାଧା ମହାରଣା)- ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଚଳିତ ବର୍ଷ ପ୍ରଥମଥର ପାଇଁ ତାପମାତ୍ରା ୩୯ଡିଗ୍ରୀ ସେଲସିୟସ ଛୁଇଁଛି। ଦିନ ତାପମାତ୍ରା ମଙ୍ଗଳବାର ଝାରସୁଗୁଡ଼ାରେ ସର୍ବାଧିକ ୩୯ଂ, ବୌଦ୍ଧ ୩୮.୫ଂ, ମାଲକାନଗିରି ୩୮.୪ଂ, ଅନୁଗୋଳ ୩୭.୯ଂ, ସମ୍ବଲପୁର ୩୭.୮ଂ, ପାରଳାଖେମୁଣ୍ଡି ୩୭.୮ଂ, ବଲାଙ୍ଗୀର ୩୭.୫ଂ, ହୀରାକୁଦ ୩୭.୧ଂ, ଟିଟିଲାଗଡ଼ ୩୭ଂ, କଟକ ୩୪.୬ଂ ଏବଂ ଭୁବନେଶ୍ୱରରେ ୩୬.୪ଂ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ମଙ୍ଗଳବାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥିବାବେଳେ ଅନ୍ୟାନ୍ୟ ଅଞ୍ଚଳରେ ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପରିଲକ୍ଷିତ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ୍ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନ ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ବାଭାବିକଠାରୁ ୨ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଅଧିକ ତାପମାତ୍ରା ରହିଥିଲା। ତେବେ ଆସନ୍ତା ୪ରୁ ୫ ଦିନ ଏଭଳି ତାପମାତ୍ରା ଅନୁଭୂତ ହେବାକୁ ଥିବାରୁ ଖରା ଓ ଗରମ ରାଜ୍ୟବାସୀଙ୍କୁ କଲବଲ କରିବ। ସୂଚନାଥାଉକି, ମଙ୍ଗଳବାର ସକାଳୁ ଗଞ୍ଜାମ ଜିଲାରେ ଘନ କୁହୁଡ଼ି ଏବଂ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା।