ସୁଶ୍ରୀତାଙ୍କ ‘ଡୁଡୁଲ ଆର୍ଟରେ’ ଓଡ଼ିଶାର ମନ୍ଦିର

ଭୁବନେଶ୍ୱର ନୀଳାଦ୍ରି ବିହାର ଅଞ୍ଚଳର ସୁଶ୍ରୀତା ସାମନ୍ତରାୟ ଆଉ ଜଣେ ନିଆରା ଶିଳ୍ପୀ। ଡୁଡୁଲ୍‌ ଆର୍ଟ ବା ମାଇକ୍ରୋ ଆର୍ଟ ଏବଂ ଡିଜିଟାଲ ଟାଇପୋଗ୍ରାଫିରେ ଚିତ୍ରକଳା ପ୍ରସ୍ତୁତ କରି ପ୍ରଶଂସା ସାଉଣ୍ଟିବାରେ ଲାଗିଛନ୍ତି। ବିଭିନ୍ନ ପ୍ରକାର ଚିତ୍ର ପ୍ରସ୍ତୁତ କରିବାରେ ସିଦ୍ଧହସ୍ତ ସୁଶ୍ରୀତା ଡୁଡୁଲ ଆର୍ଟ ମାଧ୍ୟମରେ ରାଜ୍ୟର ସମସ୍ତ ପ୍ରସିଦ୍ଧ ମନ୍ଦିରର ଚିତ୍ର ଆଙ୍କିବାକୁ ଲକ୍ଷ୍ୟ ରଖିଛନ୍ତି। ନିଖୁଣ ଢଙ୍ଗରେ ସେ ମନ୍ଦିରମାଳିନୀ ଭୁବନେଶ୍ୱରର ଜଳେଶ୍ୱର ମନ୍ଦିର, ରାମ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଇସ୍କନ ମନ୍ଦିର ସମେତ ବ୍ରହ୍ମଗିରିର ଅଲାରନାଥ, ସୋନପୁରର ମେଟାକାନି ମନ୍ଦିର, ଛତିଆ ଜଗନ୍ନାଥ ମନ୍ଦିର, ଢେଙ୍କାନାଳ ରାଜମହଲ, ନୟାଗଡ଼ର ଲଡ଼ୁବାବା ମନ୍ଦିର, କଳାହାଣ୍ଡିର ମାଣିକେଶ୍ୱରୀ ମନ୍ଦିର, ପୁରୀ ଗୁଣ୍ଡିଚା ମନ୍ଦିର, ଗଜପତିର ଭୀମ ମନ୍ଦିର, ଖୋର୍ଦ୍ଧା ବରୁଣେଇ ମନ୍ଦିର, ରାୟଗଡ଼ା ମାର୍କମା ମନ୍ଦିର, ଝାରସୁଗୁଡ଼ାର ଝାଡେଶ୍ୱର ମନ୍ଦିର, ଦେବଗଡ଼ର କଟାସର ଘାଟିସ୍ଥିତ ବନଦୁର୍ଗା ମନ୍ଦିର, କେନ୍ଦୁଝରର ମୁର୍ଗା ମହାଦେବ ମନ୍ଦିର, ବାଙ୍କୀ ଚର୍ଚ୍ଚିକା ମନ୍ଦିର, ମା’ ସାତଭଉଣୀ ଓ ବରାହନାଥ ମନ୍ଦିର, ସାକ୍ଷୀଗୋପାଳ ମନ୍ଦିର, କ୍ଷୀରଚୋରା ଗୋପୀନାଥ ମନ୍ଦିର, ବୌଦ୍ଧର ରାମନାଥ ମନ୍ଦିର, ହୁମ୍ମାର ବିମଳେଶ୍ୱର ମନ୍ଦିର ଆଦି ଶତାଧିକ ମନ୍ଦିରକୁ ‘ଡୁଡୁଲ୍‌ ଆର୍ଟ’ ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି। ଏହାସହ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟାଳୟକୁ ମଧ୍ୟ ସେ ଡ଼ୁଡ଼ୁଲ୍‌ ଆର୍ଟରେ ପ୍ରସ୍ତୁତ କରିଛନ୍ତି। ଓଡ଼ିଶାର ବିଭିନ୍ନ ପର୍ବପର୍ବାଣି, ବିଭିନ୍ନ ଦୁର୍ଗ, ରାଜମହଲ ସମେତ ଅନ୍ୟ ପରମ୍ପରାକୁ ସେ ଡୁଡୁଲ୍‌ ଆର୍ଟରେ ବଖାଣିଛନ୍ତି। ଏହାସହ ବିିଭିନ୍ନ ଖାଦ୍ୟକୁ ସିରିଜ୍‌ ଆର୍ଟରେ ପ୍ରସ୍ତୁତ କରିଛନ୍ତି। କେବଳ ଏତିକି ନୁହେଁ, ଓଡ଼ିଆ ବର୍ଣ୍ଣମାଳାର ପ୍ରତି ଅକ୍ଷରକୁ ସେ ନିଆରା ଢଙ୍ଗରେ ଚିତ୍ରିତ କରିବା ଆରମ୍ଭ କରି ଏବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୁଶ୍ରୀତା।

Share