ଆନ୍ଧ୍ର ସ୍କୁଲରେ ତାଲା ପକାଇବ ଓଡ଼ିଶା

ପାରଳାଖେମୁଣ୍ଡି,୧୯ା୨: ଗଜପତି ଜିଲା କାଶୀନଗର ତହସିଲ ହାଡୁଭାଙ୍ଗୀ ମୌଜା ଖାତା ନଂ.୮୨ (ପ୍ଲଟ୍‌ ନଂ.୮୧୩)ରେ ରହିଛି ଆନ୍ଧ୍ରର ଏକ ସରକାରୀ ବିଦ୍ୟାଳୟ। ମଣ୍ଡଳ ପରିଷଦ ଉନ୍ନୀତ ପାଠଶାଳା ନାମରେ ଏହି ବିଦ୍ୟାଳୟ ୧୯୭୪ ପୂର୍ବରୁ ପ୍ରତିଷ୍ଠା ହୋଇଥିବା ଜଣାପଡିଛି। ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ପଢୁଛନ୍ତି। ଆନ୍ଧ୍ର ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହେଉଛି। ଏହି ଜମିଟି ଏକ ରୟତି ଜମି ଏବଂ ଏହାର ମାଲିକ ଭାବେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମେତ ଅନ୍ୟମାନଙ୍କ ନାମ ରହିଛି। ବର୍ତ୍ତମାନ ସୀମା ବିବାଦ ତେଜିବା ପରେ ଜିଲା ପ୍ରଶାସନ ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ସ୍କୁଲ ହୋଇଥିବା ଜମି ସମ୍ପୂର୍ଣ୍ଣ ଓଡ଼ିଶାର ବୋଲି ଉପଜିଲାପାଳ ସଂଗ୍ରାମ ପଣ୍ଡା ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି। ତେବେ ବିଦ୍ୟାଳୟ ନିର୍ମାଣ ପାଇଁ ଜଣେ ବଦାନ୍ୟ ବ୍ୟକ୍ତି ଏହି ଜମି ଆନ୍ଧ୍ରକୁ ଦାନ କରିଥିଲେ। ମାତ୍ର ଓଡ଼ିଶାର କୌଣସି ସ୍ଥାନରେ ଆନ୍ଧ୍ର ସରକାର ବିଦ୍ୟାଳୟ ଚଳାଇ ପାରିବ ନାହିଁ ବୋଲି ରୋକ୍‌ଠୋକ ଭାବେ କହିଛନ୍ତି ଉପଜିଲାପାଳ ପଣ୍ଡା। ଏପରି କି ଉକ୍ତ ସ୍କୁଲକୁ ଗଜପତି ଜିଲା ପ୍ରସାଶନ ତୁରନ୍ତ ତାଲା ପକାଇବ ବୋଲି ସେ ସୂଚନା ଦେଇଛନ୍ତି। ଏହି ସ୍ଥାନକୁ ଆନ୍ଧ୍ର କୌଶଲ୍ୟପୁରମ୍‌ ବୋଲି ଘୋଷଣା କରିଛି।

 

Share