Categories: ବାଣିଜ୍ୟ

ଲଗାତାର ୬ ମାସ ପାଇଁ ଓଡ଼ିଶାରେ ଦରଦାମ୍ ସବୁଠୁ ଅଧିକ

ଭୁବନେଶ୍ୱର,୧୮।୫: ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଓଡ଼ିଶା ଲଗାତାର ୬ ମାସ ହେଲା ଦେଶର ସବୁଠାରୁ ମହଙ୍ଗା ପାଲଟିଛି। ଓଡ଼ିଶାରେ ଗତ ୬ ମାସ ମଧ୍ୟରେ କ୍ରମାଗତ ଭାବରେ ଖୁଚୁରା ମୁଦ୍ରାସ୍ଫୀତି ହାର ସାତ ପ୍ରତିଶତରୁ ଅଧିକ ରେକର୍ଡ ହୋଇଛି। ରିପୋର୍ଟ ଅନୁଯାୟୀ, ଲଗାତାର ଛଅ ମାସ ମଧ୍ୟରେ ଏହା ଦେଶରେ ସର୍ବାଧିକ ମୁଦ୍ରାସ୍ଫୀତି ହାର ଅଟେ।

କେନ୍ଦ୍ର ସରକାର ନିକଟରେ ପ୍ରକାଶ କରିଥିବା ଖୁଚୁରା ମୁଦ୍ରାସ୍ଫୀତି ରିପୋର୍ଟ ଅନୁଯାୟୀ, ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୧ ପ୍ରତିଶତ ରହିଛି, ଯାହା ଦେଶରେ ସର୍ବାଧିକ। ଓଡ଼ିଶାରେ ଏହି ଗ୍ରାଫ୍ କ୍ରମାଗତ ଭାବରେ ବଢିଚାଲିଛି। ଏପ୍ରିଲ ମାସରେ ଦେଶରେ ହାରାହାରି ମୁଦ୍ରାସ୍ଫୀତି ହାର ୪.୮ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ଗତ ୧୧ ମାସ ମଧ୍ୟରେ ଏହା ସର୍ବନିମ୍ନ। ଅପରପକ୍ଷରେ ଏପ୍ରିଲରେ ଦିଲ୍ଲୀର ସର୍ବନିମ୍ନ ହାର ୨.୨ ପ୍ରତିଶତ ରେକର୍ଡ ହୋଇଛି।

ନଭେମ୍ବର ୨୦୨୩ ରେ ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୭ ପ୍ରତିଶତ ଥିବାବେଳେ ଡିସେମ୍ବରରେ ଏହା ୮.୭ ପ୍ରତିଶତ ଥିଲା। ତେବେ କେଉଁ କାରଣରୁ ଓଡ଼ିଶାରେ ମୁଦ୍ରାସ୍ଫୀତି ହାର ଅଧିକ ରହୁଛି ବିଶେଷଜ୍ଞମାନେ ତାହା ଦର୍ଶାଇଛନ୍ତି।

“କେତେକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ମୂଲ୍ୟରେ ପରିବର୍ତ୍ତନ ଏବଂ ବଜାରରେ ମୁଦ୍ରାସ୍ଫୀତି ହାରର ମୁଖ୍ୟ କାରଣ ହେଉଛି ଯୋଗାଣ ଅଭାବ। ଏହା ବ୍ୟତୀତ ପନିପରିବା ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ମୂଲ୍ୟ ବଜାରରେ ବୃଦ୍ଧି ପାଇଛି କାରଣ ଓଡ଼ିଶା ଅନେକ ଜିନିଷ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ” ବୋଲି ବଜାର ବିଶେଷଜ୍ଞ କହିଛନ୍ତି।

କେତେକ ନିର୍ଦ୍ଦିଷ୍ଟ ବର୍ଗର ଅତ୍ୟାବଶ୍ୟକ ଦ୍ରବ୍ୟର ଚାହିଦା ଏବଂ ଯୋଗାଣ ପରିସ୍ଥିତି ଏବଂ ପ୍ରମୁଖ ପନିପରିବାର ଉତ୍ପାଦନ ଫଳାଫଳ ଖୁଚୁରା ମୁଦ୍ରାସ୍ଫୀତିକୁ ହାରକୁ ବଢ଼ାଇ ଦେଇଛି। ସାଧାରଣ ତାପମାତ୍ରାଠାରୁ ଅଧିକ ଏବଂ ହିଟ୍‌ଓ୍ବେଭ୍‌ ସ୍ଥିତି ମଧ୍ୟ ସାମଗ୍ରିକ ମୁଦ୍ରାସ୍ଫୀତି ବୃଦ୍ଧିର କାରଣ ବୋଲି ସେମାନେ କହିଛନ୍ତି।

Share