Categories: ବାଣିଜ୍ୟ

ଓଡ଼ିଶା ଟ୍ରାଭେଲ ବଜାର ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର, ୮।୨: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ସହଯୋଗରେ ଏକ ୩ ଦିନିଆ ପ୍ରଦର୍ଶନୀ ତଥା ୫ମ ଓଡ଼ିଶା ଟ୍ରାଭେଲ ବଜାର-୨୦୨୪ ପୁରୀର କୋଣାର୍କ ଇକୋ ରିଟ୍ରିଟ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଡା. ଲେନିନ୍‌ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ସମେତ ଉଭୟ ପର୍ଯ୍ୟଟନ ବିଭାଗ ଓ ଫିକିର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ବିକ୍ରେତାମାନଙ୍କର ଏକ ପ୍ରଦର୍ଶନୀ ଏବଂ ବି୨ବି ବୈଠକ ମଧ୍ୟ ଶୁଭାରମ୍ଭ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଫେବୃଆରୀ ୯ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଗା ପ୍ରଦର୍ଶନୀରେ ଆସାମ, ଛତିଶଗଡ଼, ଦିଲ୍ଲୀ, ଗୋଆ, ଗୁଜରାଟ, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ, କର୍ନାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ତେଲଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି ୧୮ଟି ରାଜ୍ୟରୁ ମୋଟ ୭୦ ଘରୋଇ ଟୁର୍‌ ଅପରେଟରଙ୍କ ସମେତ ବେଲଜିୟମ, ଇଣ୍ଡୋନେସିଆ, ମାଲେସିଆ, ମ୍ୟାନ୍‌ମାର,ନେଦରଲାଣ୍ଡ,ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ସ୍ପେନ୍‌, ଶ୍ରୀଲଙ୍କା, ଥାଇଲାଣ୍ଡ, ତୁର୍କୀ, ବ୍ରିଟେନ ଏବଂ ଭିଏଟ୍‌ନାମ ଭଳି ୧୬ଟି ଦେଶରୁ ୬୦ଜଣ ବିଦେଶୀ ଟୁର୍‌ ଅପରେଟର ଯୋଗଦେଇଛନ୍ତି। ଅପରପକ୍ଷରେ ଏହି ୩ ଦିନିଆ ପ୍ରଦର୍ଶନୀରେ ଓଡ଼ିଶାର ପର୍ଯ୍ୟଟନ ଅଂଶୀଦାରମାନେ ସେମାନଙ୍କର ବିଭିନ୍ନ ଉତ୍ପାଦ ଓ ସେବା ସମ୍ପର୍କିତ ଆକର୍ଷଣୀୟ ଷ୍ଟଲ୍‌ କରିଛନ୍ତି। ଉକ୍ତ ଷ୍ଟଲ୍‌ ଜରିଆରେ ଅଂଶୀଦାରମାନେ ଉଭୟ ଘରୋଇ ଓ ବିଦେଶୀ ପରିଦର୍ଶକଙ୍କୁ ସେମାନଙ୍କ ସେବା ପ୍ରଦାନ ଓ ପ୍ରଦର୍ଶନ କରୁଛନ୍ତି।

Share