ଓଡ଼ିଶା ବୃତ୍ତିଗତ ଶିକ୍ଷାନୁଷ୍ଠାନ ବିଲ୍‌ ପାରିତ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ହଟ୍ଟଗୋଳ ମଧ୍ୟରେ ଶୁକ୍ରବାର ବିଧାନସଭାରେ ଓଡ଼ିଶା ବୃତ୍ତିଗତ ଶିକ୍ଷାନୁଷ୍ଠାନ (ରେଗୁଲେଶନ ଅଫ୍‌ ଆଡ୍‌ମିଶନ ଆଣ୍ଡ ଫିକ୍ସେଶନ ଅଫ୍‌ ଫି) ସଂଶୋଧନ ବିଲ୍‌-୨୦୨୧ ବାଚନିକ ମତଦାନରେ ପାରିତ ହୋଇଛି। ବିଲ୍‌ ସଂଶୋଧନ ହେବା ପରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି) କୁଳପତିଙ୍କ ବଦଳରେ ଫି’ ନିର୍ଦ୍ଧାରଣ କମିଟିରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଅଧ୍ୟକ୍ଷ ରହିବେ। ଏହି କମିଟିରେ ଶିଳ୍ପ ସଚିବଙ୍କ ବଦଳରେ ବୈଷୟିକ ଶିକ୍ଷା ସଚିବ ସଦସ୍ୟ ରହିବେ। ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି ଯେ, ବିପିୟୁଟି ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ସ୍ବୀକୃତି ପ୍ରଦାନ କରିଥାଏ। ଫି’ ନିର୍ଦ୍ଧାରଣ କମିଟିରେ ବିପିୟୁଟି କୁଳପତି ରହିବା ଠିକ୍‌ ହେବ ନାହିଁ। ସେଥିପାଇଁ ଏହି କମିଟିର ଅଧ୍ୟକ୍ଷ ଭାବେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ରହିବେ।

Share