Categories: ଜାତୀୟ

ଓଡ଼ିଶାରେ ସବୁଠି ବନ୍ଦ ପାଳିବ କଂଗ୍ରେସ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୭।୯: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ବର୍ଷେ ହେଲା ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌)ର ଆହ୍ବାନରେ ସୋମବାର ଭାରତ ବନ୍ଦ ରହିବ। ବିବାଦୀୟ କୃଷି ଆଇନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ବୀକୃତି ପ୍ରଦାନ କରିବା ସୋମବାର ବର୍ଷେ ପୂରୁଥିବାରୁ ଏହି ଦିନ ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଥିଲା। ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ। ଏହି ସମୟରେ ସମସ୍ତ ସରକାରୀ, ଘରୋଇ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅନ୍ୟାନ୍ୟ ପ୍ରତିଷ୍ଠାନ, ଦୋକାନ ବଜାର, ଶିଳ୍ପସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ। ତେବେ ଆମ୍ବୁଲାନ୍ସ, ଅଗ୍ନିଶମ ସମେତ ଜରୁରୀ ସେବାଗୁଡ଼ିକ ପ୍ରଭାବିତ ହେବନାହିଁ।
ଭାରତ ବନ୍ଦ ଡାକରାକୁ ଓଡ଼ିଶାରେ କଂଗ୍ରେସ ସମେତ ୭ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। ବନ୍ଦ ପାଳନ ସମୟରେ ଏହି ରାଜନୈତିକ ଦଳଗୁଡିକ ରାଜ୍ୟର ବିଭିନ୍ନ ସ୍ଥାନରେ ପିକେଟିଂ କରିବେ। କଂଗ୍ରେସ ଦଳ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନଠାରେ ବନ୍ଦ ପାଳନ କରିବାକୁ ଯୋଜନା ରଖିଥିବାବେଳେ ସବୁ ଜିଲା ସଭାପତିମାନେ ଏହାକୁ ଠିକ୍‌ରେ ପାଳିବା ଲାଗି ସେମାନଙ୍କୁ ମଧ୍ୟ ଚିଠି କରାଯାଇଛି।

Share