୨୦୨୭ ସୁଦ୍ଧା ଫାଇଲେରିଆମୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର,୧୫ା୯(ଅଭିଜିତ ଦାସ): ରାଜ୍ୟରେ ଡେଙ୍ଗୁର ପ୍ରକୋପ ଥିବାବେଳେ ପାଖାପାଖି ୬୦ ପ୍ରତିଶତ ଲୋକ ଫାଇଲେରିଆ ରୋଗରେ ଆକ୍ରାନ୍ତ ଅଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୦୨୭ ମସିହା ସୁଦ୍ଧା ରାଜ୍ୟରେ ଫାଇଲେରିଆ ରୋଗକୁ ନିର୍ମୂଳ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିଲାଗି ଦୁଇଟି ପର୍ଯ୍ୟାୟରେ ୨ କୋଟି ୭୩ ଲକ୍ଷ ଲୋକଙ୍କୁ ଫାଇଲେରିଆ ପ୍ରତିଷେଧକ ଔଷଧ ବଣ୍ଟନ କରାଯାଇଛି। ବିଭାଗୀୟ ତଥ୍ୟ ଅନୁଯାୟୀ, ରାଜ୍ୟକୁ ୨୦୩୦ ସୁଦ୍ଧା ଫାଇଲେରିଆ ମୁକ୍ତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଲକ୍ଷ୍ୟ ୨୦୨୭ ରଖାଯାଇଛି। ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଫେବୃୟାରୀରେ ଫାଇଲେରିଆ ରୋଗର ନିରାକରଣ ପାଇଁ ୧୦ଟି ଜିଲାରେ ସାମୂହିକ ଔଷଧ ବଣ୍ଟନ କରାଯାଇଥିଲା। ପାଖାପାଖି ୧କୋଟି ୨୩ ଲକ୍ଷ ଲୋକଙ୍କୁ ଔଷଧ ଦିଆଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଅଗଷ୍ଟ ମାସରେ ଆରମ୍ଭ କରାଯାଇଥିଲା। ୧୧ଟି ଜିଲାରେ ୧ କୋଟି ୫୦ ଲକ୍ଷ ଲୋକଙ୍କୁ ଔଷଧ ଦିଆଯାଇଛି। ୯ଟି ଜିଲା ଫାଇଲେରିଆମୁକ୍ତ ଘୋଷଣା ପାଇଁ ଯୋଗ୍ୟତା ହାସଲ କରିଛି। ବର୍ତ୍ତମାନ ରାଜ୍ୟରେ ଫାଇଲେରିଆମୁକ୍ତ ଅଭିଯାନ ଜାରି ରହିଛି। ଉକ୍ତ ରୋଗ ପାଇଁ ୩ ପ୍ରକାର ଔଷଧ ଦିଆଯାଉଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧ କୋଟି ୮୧ ଲକ୍ଷ ଆଲ୍‌ବେଣ୍ଡାଜୋଲ, ୪କୋଟି ୫୩ ଲକ୍ଷ ଡିଇସି ଏବଂ ୪କୋଟି ୫୪ ଲକ୍ଷ ଆଇଭରମେଟିନ ବଟିକା ବଣ୍ଟାଯାଇଛି। ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଶୁଭାଶିଷ ମହାନ୍ତି କହିଛନ୍ତି, ରାଜ୍ୟରେ ମଶାବାହିତ ରୋଗ ମଧ୍ୟରୁ ଡେଙ୍ଗୁ, ଫାଇଲେରିଆ, ମ୍ୟାଲେରିଆ ଭଳି ରୋଗର ପ୍ରଭାବ ରହିଛି। କ୍ୟୁଲେସ୍‌ ମଶାଙ୍କ ଦ୍ୱାରା ଫାଇଲେରିଆ ରୋଗ ହେଇଥାଏ। ଫାଇଲେରିଆମୁକ୍ତ ଅଭିଯାନରେ ଡାକ୍ତରୀ ଛାତ୍ରୀଛାତ୍ର, ଆଶାକର୍ମୀ ଓ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ସାମିଲ ହୋଇ ବହୁ ଜିଲାରେ ଲୋକଙ୍କୁ ଔଷଧ ବଣ୍ଟନ କରିଥିଲେ। ପୂର୍ବରୁ ଫାଇଲେରିଆ ପାଇଁ ଆଲ୍‌ବେଣ୍ଡାଜୋଲ ଓ ଡିଇସି ବଟିକା ଦିଆଯାଉଥିବାବେଳେ ବର୍ତ୍ତମାନ ଆଇଭରମେଟିନ ବଟିକା ମଧ୍ୟ ଦିଆଯାଇଛି। ଔଷଧ ବିତରଣରେ ସମଗ୍ର ଦେଶରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ବିହାର ଦ୍ୱିତୀୟ ଏବଂ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଜାତୀୟ ଭେକ୍ଟର ବୋର୍ନ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍‌ଭିବିଡିସିପି) ଜରିଆରେ ରାଜ୍ୟର ମଶାପ୍ରବଣ ଅଞ୍ଚଳରେ ୨୦୧୬, ୨୦୨୦ ଓ ୨୦୨୧ ମସିହାରେ ଲୋକଙ୍କୁ ମଶାରି ବଣ୍ଟନ କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ମଶାରି ବଣ୍ଟନ କରାଯିବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

Share