ଓଡ଼ିିଶାକୁ ସର୍ବୋତ୍କୃଷ୍ଟ ଷ୍ଟାର୍ଟ ଅପ୍‌ ହବ୍‌ କରାଯିବ

କଟକ ଅଫିସ, ୨୬।୪:ଭାରତ ସରକାରଙ୍କ ଏସ୍‌ଟିପିଆଇ ବିଭାଗର ପୂର୍ବତନ ମହାନିର୍ଦ୍ଦେଶକ ଡ. ଓମ୍‌କାର ରାୟ ସୋମବାର ଷ୍ଟାର୍ଟ ଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଡ଼ିଶାକୁ ସମଗ୍ର ଦେଶରେ ସର୍ବୋତ୍କୃଷ୍ଟ ଷ୍ଟାର୍ଟ ଅପ୍‌ ହବ୍‌ କରାଯିବ ବୋଲି ସେ କହିଛନ୍ତି। ଶିଳ୍ପ ବିକାଶ ଦିଗରେ କାର୍ଯ୍ୟ କରିବାକୁ ସେ ବିଭିନ୍ନ ଶିଳ୍ପ ବିଭାଗର ଅଧିକାରୀ, ଶିଳ୍ପ ଗବେଷକ ଏବଂ ଶିଳ୍ପାୟନରେ ନିଯୁକ୍ତ ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଡ. ରାୟଙ୍କୁ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲମ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗର ବରିଷ୍ଠ ଅଧିକାରୀମାନେ ସ୍ବାଗତ ଜଣାଇଥିଲେ।
ସୂଚନାଯୋଗ୍ୟ, ଷ୍ଟାର୍ଟ ଅପ୍‌ ଓଡ଼ିଶା ମାଧ୍ୟମରେ ରାଜ୍ୟ ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହନ କରିବା ଦିଗରେ ଅଭିନବ ପ୍ରଚେଷ୍ଟା କରୁଛନ୍ତି। ୨୦୧୬ ମସିହାଠାରୁ ଷ୍ଟାର୍ଟ ଅପ୍‌ ଓଡ଼ିଶା ଶିଳ୍ପକୁ ରାଜ୍ୟରେ ସମୃଦ୍ଧ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏଥିସହିତ ଷ୍ଟାର୍ଟ ଅପ୍‌ ମାଧ୍ୟମରେ ୧୨ଶହଟି ନୂତନ ଶିଳ୍ପକୁ ମାନ୍ୟତା ପ୍ରଦାନ, ୨୧ଟି ପ୍ରାଥମିକ ଅବସ୍ଥାରେ ଶିଳ୍ପ ପ୍ରତିଷ୍ଠା ଏବଂ ୭୫ଟି ଉଦ୍ୟୋଗୀ ସଂଘ ସୃଷ୍ଟି କରିଛି। ଷ୍ଟାର୍ଟ ଅପ୍‌ ଓଡ଼ିଶା ରାଜ୍ୟର କଳା ଓ ଗ୍ରାମାଞ୍ଚଳ ଶିଳ୍ପର ଭିତ୍ତିଭୂମି ବିକାଶ କରି ଯୁବକଙ୍କୁ ବିକାଶ ପଥରେ ଆଗେଇ ନେବାରେ ବଳିଷ୍ଠ ସହଯୋଗ କରୁଛି।

Share