ନୂଆ ବନ୍ଦର ଆଇନକୁ ବିରୋଧ କରିବ ଓଡ଼ିଶା

ଭୁବନେଶ୍ୱର,୬ା୯(ବ୍ୟୁରୋ): କେନ୍ଦ୍ର ସରକାର ଦୀର୍ଘବର୍ଷ ପରେ ପୁରାତନ ବନ୍ଦର ଆଇନକୁ ପରିବର୍ତ୍ତନ କରି ନୂତନ ଆଇନ-୨୦୨୦ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଏ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକଠାରୁ ମତାମତ ଲୋଡ଼ାଯାଇଛି। ତେବେ ଏହି ନୂତନ ବନ୍ଦର ଆଇନରେ ରାଜ୍ୟଗୁଡ଼ିକର ଅଧିକାରକୁ ହଡପ କରିବାକୁ କେନ୍ଦ୍ର ସରକାର ଚକ୍ରାନ୍ତ କରିଛନ୍ତି। ଏହି ନୂତନ ଆଇନକୁ ଓଡ଼ିଶା ସମେତ ବିଭନ୍ନ ରାଜ୍ୟ ସରକାର କଡ଼ା ବିରୋଧ କରିଛନ୍ତି। ପୁରୁଣା ବନ୍ଦର ଆଇନ-୧୯୦୮ରେ ବୃହତ୍‌ ବନ୍ଦରଗୁଡ଼ିକ କେନ୍ଦ୍ର ସରକାରଙ୍କ ହାତରେ ରହିଥିବା ବେଳେ ରାଜ୍ୟଗୁଡ଼ିକୁ ଅଣବୃହତ୍‌ ଏବଂ କ୍ଷୁଦ୍ର ବନ୍ଦରଗୁଡ଼ିକର ସମସ୍ତ କ୍ଷମତା ଦିଆଯାଇଥିଲା। କ୍ଷୁଦ୍ର ଓ ଅଣବୃହତ୍‌ ବନ୍ଦର ଚିହ୍ନଟ କରିବା ସହ ସେଗୁଡ଼ିକର ପରିଚାଳନା, ବିକାଶ ଏପରି କି ମାଲିକାନା ମଧ୍ୟ ରାଜ୍ୟଗୁଡ଼ିକ ହାତରେ ରହିଛି। ତେବେ ନୂଆ ବନ୍ଦର ଆଇନ କାର୍ଯ୍ୟକାରୀ ହେଲେ ରାଜ୍ୟ ହାତରୁ ସେ ସମସ୍ତ କ୍ଷମତା କେନ୍ଦ୍ର ସରକାରଙ୍କ ନିକଟକୁ ଚାଲିଯିବ। ଏପରି କି କ୍ଷୁଦ୍ର ବନ୍ଦରଗୁଡ଼ିକ କର୍ପୋରେଟ୍‌ ସଂସ୍ଥା ନିୟନ୍ତ୍ରଣକୁ ଚାଲିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ନୂତନ ବନ୍ଦର ଆଇନରେ ଅଣବୃହତ୍‌ ଓ କ୍ଷୁଦ୍ର ବନ୍ଦର ସମସ୍ତ କ୍ଷମତା ମାରିଟାଇମ ରେଗୁଲେଟୋରି ଅଥରିଟିଙ୍କ ନିକଟକୁ ଚାଲିଯିବ। ଅଥରିଟିଙ୍କ ବିନାନୁମତିରେ ରାଜ୍ୟ ସରକାର କୌଣସି ବନ୍ଦର ପାଇଁ ଚୁକ୍ତି କରି ପାରିବେ ନାହିଁ। ବନ୍ଦରର ପରିସୀମା, ପଞ୍ଜୀକରଣ, ସମ୍ପ୍ରସାରଣ, ବିକାଶମୂଳକ କାର୍ଯ୍ୟ ଇତ୍ୟାଦି କ୍ଷମତା ଅଥରିଟିଙ୍କ ନିକଟରେ ରହିବ। ରାଜ୍ୟ ସରକାର ନୂତନ ବନ୍ଦର ପାଇଁ ଜମି, ଜଳ, ବିଦ୍ୟୁତ୍‌, ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବେ। କିନ୍ତୁ ବନ୍ଦର ଉପରେ ରାଜ୍ୟ ସରକାରଙ୍କର କୌଣସି କର୍ତ୍ତୃତ୍ୱ ରହିବ ନାହିଁ। ଏହାଦ୍ୱାରା ରାଜ୍ୟ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଓଡ଼ିଶା ସରକାର ଏହି ନୂତନ ଆଇନକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପାରାଦୀପ ବନ୍ଦରକୁ ବାଦ୍‌ ଦେଲେ ରାଜ୍ୟରେ ୧୩ଟି ନୂତନ ବନ୍ଦର ଚିହ୍ନଟ କରାଯାଇଛି। ସେହି ବନ୍ଦରଗୁଡ଼ିକ ହେଲା ବାଲେଶ୍ୱର ଜିଲାର ବିଚିତ୍ରପୁର, ସୁବର୍ଣ୍ଣରେଖା ମୁହାଣ, ବାହବଳପୁର, ଚାନ୍ଦିପୁର, ଇଞ୍ଚୁଡି, ଭଦ୍ରକ ଜିଲାର ଚୂଡାମଣି, ଧାମରା, ଜଗତ୍‌ସିଂହପୁର ଜିଲାର ଜଟାଧାର ମୁହାଣ, ପୁରୀ ଜିଲାର ଅସ୍ତରଙ୍ଗ ଓ ବାଲି ହରିଚଣ୍ଡୀ, ଗଞ୍ଜାମ ଜିଲାର ଗୋପାଳପୁର, ବାହୁଦା ମୁହାଣ ଏବଂ କେନ୍ଦ୍ରାପଡ଼ା ଜିଲାର ମହାକାଳପଡା ବ୍ଲକରେ ମହାନଦୀ ମୁହାଣରେ ନଦୀଭିତ୍ତିକ ବନ୍ଦର। ପୁରୁଣା ଓ ପ୍ରସ୍ତାବିତ ନୂଆ ବନ୍ଦରଗୁଡ଼ିକର ବିକାଶ କରିବାକୁ ରାଜ୍ୟ ସରକାର ୨୦୦୪ରେ ବନ୍ଦର ନୀତି କାର୍ଯ୍ୟକାରୀ କରିଛନ୍ତି। ଜଳପଥ ପରିବହନଠାରୁ ଆରମ୍ଭ କରି ଶିଳ୍ପ, ନୂତନ ବନ୍ଦର ଚିହ୍ନଟ, ବନ୍ଦରଭିତ୍ତିକ ଭିତ୍ତିଭୂମି ବିକାଶ ପାଇଁ ଏଥିରେ ବ୍ୟବସ୍ଥା ରହିଛି। ଏହାଦ୍ୱାରା ରାଜ୍ୟର ରପ୍ତାନି, ଆମଦାନୀ, ଜାତୀୟ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ବୃଦ୍ଧି ପାଇବ। ପରିବହନ ବ୍ୟବସ୍ଥାର ବିକାଶ କରିବା ପାଇଁ ବନ୍ଦରଗୁଡ଼ିକ ସହିତ ନଦୀକୁ ସଂଯୋଗ କରିବା ଲକ୍ଷ୍ୟରେ ବନ୍ଦର ନୀତି ସହାୟକ ହୋଇ ପାରିବ। କେନ୍ଦ୍ର ସରକାରଙ୍କ ନୂତନ ବନ୍ଦର ଆଇନ ରାଜ୍ୟ ସରକାରଙ୍କ ପ୍ରଚଳିତ ବନ୍ଦରନୀତିକୁ ଏକ ପ୍ରକାର ଅଚଳ କରିଦେବ। ଖୁବ୍‌ଶୀଘ୍ର ରାଜ୍ୟ ସରକାର ଏ ନେଇ କେନ୍ଦ୍ରକୁ ଅବଗତ କରାଇବେ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Share