ଓଡ଼ିଶାକୁ ମିଳିବ ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ସହରାଞ୍ଚଳରେ କର୍ମନିଯୁକ୍ତି ଏବଂ ମଳ ପରିଚାଳନା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଅଭିନବ ପଦକ୍ଷେପ ନିମନ୍ତେ ଅନ୍ତର୍ଜାତୀୟ ପୁରସ୍କାର ଲାଗି ତାଲିକାଭୁକ୍ତ ହୋଇଛନ୍ତି । ଦେଶର ଏକମାତ୍ର ରାଜ୍ୟଭାବେ ଓଡ଼ିଶା ଏହି ତାଲିକାର ପ୍ରଥମ ୧୫ ସ୍ଥାନରେ ରହିଛି। ତାଲିକାରେ ଥିବା ସମସ୍ତ ୧୫ ରାଜ୍ୟ ମେଡାଲ ପାଇବାକୁ ଥିବାବେଳେ ଅନ୍ୟ ୩୦ଟିକୁ ସାର୍ଟିଫିକେଟ ପ୍ରଦାନ କରାଯିବ । ସହରାଞ୍ଚଳରେ ଓଡ଼ିଶା ସରକାର ଗ୍ରହଣ କରିଥିବା ୨ଟି ପଦକ୍ଷେପ ରାଜ୍ୟକୁ ଏହି ଆନ୍ତର୍ଜାତିକ ପୁରସ୍କାର ଆଣିଦେଇଛି । ସହରାଞ୍ଚଳ ମଜୁରିଭିତ୍ତିକ ନିଯୁକ୍ତି ପଦକ୍ଷେପ (ୟୁଡବ୍ଲ୍ୟୁଇଆଇ) ରାଜ୍ୟର ୧୧୪ଟି ପୌରସଂସ୍ଥାରେ କାର୍ଯ୍ୟକାରୀ ହେଉଥିବା ବେଳେ ବ୍ରହ୍ମପୁର ମହାନଗର ନିଗମକୁ ମଳ ପରିଚାଳନା(ଏଫ୍‌ଏସ୍‌ଏସ୍‌ଏମ୍‌) ପାଇଁ ସମ୍ମାନଜନକ ୨୦୨୦ ଗୁଆଙ୍ଗଝୋଉ ଆନ୍ତର୍ଜାତିକ ପୁରସ୍କାର ମିଳିବ। ଏହାବାଦ୍‌ ଓଡ଼ିଶା ସରକାରଙ୍କ ଅନ୍ୟତମ ପଦକ୍ଷେପ ଭାବେ ଜନସାଧାରଣଙ୍କ ପାଇଁ ସହରାଞ୍ଚଳରେ ବିଶୁଦ୍ଧ ପାନୀୟଜଳ ଯୋଗାଣ କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ ପୁରୀରେ କାର୍ଯ୍ୟକାରୀ ହେଉଥିବା ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ’ ‘ଡିଜର୍ଭିଂ ଇଣ୍ଟରଭେନଶନ’ ବର୍ଗରେ ସର୍ବୋଚ୍ଚ ୩୦ଟି ତାଲିକାରେ ସ୍ଥାନ ପାଇଛି । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏଭଳି ପୁରସ୍କାର ପାଇଁ ବିଭାଗୀୟ ଅଧିକାରୀଙ୍କୁ ସେମାନଙ୍କ କଠିନ ପରିଶ୍ରମ ଓ ଉସତ୍ର୍ଗୀକୃତ ସେବା ଲାଗି ଅଭିନନ୍ଦନ ଜଣାଇଛନ୍ତି । ୨୦୨୦ ଗୁଆଙ୍ଗଝୋଉ ପୁରସ୍କାର ପାଇଁ ସାମାଜିକ, ଆର୍ଥିକ ଏବଂ ଦୀର୍ଘସ୍ଥାୟୀ ପରିବେଶ ଉପରେ ବିଶ୍ୱର ୬୦ ଦେଶରୁ ୧୭୫ ସହରରୁ ୨୭୨ଟି ଆବେଦନ ପତ୍ର ଦାଖଲ କରାଯାଇଥିଲା । ଏହି ପୁରସ୍କାର ଗୁଆଙ୍ଗଝୋଉ ସହର ଏବଂ ବିଭିନ୍ନ ସ୍ଥାନୀୟ ଆଞ୍ଚଳିକ ଏବଂ ମେଟ୍ରୋପଲିଟାନ ସହର ନେଟ୍‌ୱାର୍କକୁ ନେଇ ମିଳିତ ଭାବେ ପ୍ରଦାନ କରାଯାଉଛି ।

Share