Categories: ଖେଳ

ଦୀପାଙ୍କ ଡବଲ୍‌ରେ ଓଡ଼ିଶା ବିଜୟୀ

ସୁନ୍ଦରଗଡ,୧୪ା୧୧, (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଷ୍ଟାଡିୟମଠାରେ ୨୮ତମ ବରିଷ୍ଠ ମହିଳା ଜାତୀୟ ଫୁଟ୍‌ବଲ ଚାମ୍ପିୟନଶିପ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଜିଲା କ୍ରୀଡା ସଂସଦ ଓ ଫୁଟ୍‌ବଲ ଆସୋସିଏଶନ ଅଫ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହୋଇ ଟୁର୍ନାମେଣ୍ଟର ପ୍ରଥମ ଦିନରେ ଓଡ଼ିଶା ଓ ଗୋଆ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ ଗୋଆ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ହୋଇଥିଲା। ଏଥିରେ ଗୋଆ ୩-୧ଗୋଲରେ ଅରୁଣାଚଳ ପ୍ରଦେଶକୁ ପରାସ୍ତ କରିଥିଲା। ଅରୁଣାଚଳ ପ୍ରଦେଶର ୟୁମଲାମ ଲାଲି ୧୨ମିନିଟରେ ଏକ ମାତ୍ର ଗୋଲ ଦେଇଥିଲେ। ଏହାର ୭ ମିନିଟ ପରେ ଗୋଆ ପକ୍ଷରୁ କରିସ୍ମା ପୁରୁଷୋତ୍ତମ ସୋରଭୋଇକର ଗୋଲ ସ୍କୋର କରି ମ୍ୟାଚ୍‌କୁ ସମାନ୍ତରାଳ ସ୍ଥିତିକୁ ଆଣିଥିଲେ। ତେବେ ପର୍ଲ ଫର୍ଣ୍ଣାଣ୍ଡେସ ୪୪ମିନିଟ ଓ ୭୮ମିନିଟରେ ୨ ଗୋଲ ଦେଇ ଗୋଆକୁ ବିଜୟୀ କରିଥିଲେ। ସେହିପରି ଅପରାହ୍ନରେ ଓଡ଼ିଶା ଓ ମେଘାଳୟ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌କୁ ଘରୋଇ ଦଳ ୩-୧ରେ ଜିତି ନେଇଥିଲା। ଓଡ଼ିଶା ତରଫରୁ ଦୀପା ନାୟକ (୩୨ଓ ୫୩ମିନିଟ) ଡବଲ୍‌ ଗୋଲ ଦେଇଥିବା ବେଳେ ମାଳତୀ ମୁଣ୍ଡା ୩୫ମିନିଟରେ ଗୋଟିଏ ଗୋଲ କରିଥିଲେ। ମେଘାଳୟ ପକ୍ଷରୁ ସୁନାଲିଣ୍ଡା ଲରେନ୍‌ ୫୧ ତମ ମିନିଟରେ ଏକମାତ୍ର ଗୋଲ ଦେଇଥିଲେ। ଉଭୟ ଦଳ ତରଫରୁ ଖେଳାଳିମାନେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲେ। ଖେଳକୁ ସର୍ବଭାରତୀୟ ଫୁଟ୍‌ବଲ ମହସଂଘ(ଏଆଇଏଫ୍‌ଏଫ୍‌) ମ୍ୟାଚ କମିଶନର, ରେଫରିମାନେ ପରିଚାଳନା କରିଥିଲେ। ଇ ଗ୍ରୁପ୍‌ରେ ସାମିଲ ଥିବା ଓଡ଼ିଶା, ଗୋଆ, ଗୁଜରାଟ, ମେଘାଳୟ ଓ ଅରୁଣାଚଳ ପ୍ରଦେଶର ମୋଟ ୫ଟି ଦଳ ସାମିଲ ହୋଇଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଓଡ଼ିଶା ଓ ଅରୁଣାଚଳ ପ୍ରଦେଶ ଏବଂ ଅପରାହ୍ନ ୨.୩୦ରେ ଗୁଜରାଟ ଓ ମେଘାଳୟ ମଧ୍ୟରେ ମ୍ୟାଚ ହେବ। କ୍ରୀଡା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ, ଉପସଭାପତି ମେରୀଜନ ବାଗେ, ପୌଷଚନ୍ଦ୍ର ପଟେଲ, ଜୟ ଦେବ ପାତ୍ର, ରାଜେନ୍ଦ୍ର ପାଣ୍ଡେ, ନିତ୍ୟ କୁମାର ବଳ, ଅଜୟ ବହିଦାର, ରୋମାଞ୍ଚ ଭୈଷାଲ, ପ୍ରଶାନ୍ତ ପଟେଲ, ଆଶିଷ ଦେ, ଶ୍ୟାମ ନନ୍ଦନ, ସହାୟପ୍ରସାଦ ନାଏକ, ସୁଶୀଲ ପଟେଲ, ବୀରମିତ୍ର କାଲୋ, ଶିଶିର ପଟେଲ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଏହି ଚାମ୍ପିୟନଶିପ ଆୟୋଜିତ ହେଉଛି।

Share