ଭୁବନେଶ୍ୱର, ୬।୧୨(ତପନ ସ୍ବାଇଁ):ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ସହଯୋଗରେ ଫୁଟ୍ବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଓଡ଼ିଶା ଓମେନ୍ସ ଲିଗ୍ ଫୁଟବଲ ପ୍ରତିଯୋଗିତା ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। କଟକ ଚୌଦ୍ୱାରସ୍ଥିତ ଓଟିଏମ୍ ଗ୍ରାଉଣ୍ଡ ଏବଂ ୟୁନିଟ-୧ ଭୁବନେଶ୍ୱର ଫୁଟ୍ବଲ ଏକାଡେମୀ ପଡ଼ିଆରେ ଏହା ୨୦୨୪ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ୬ଟି ଶୀର୍ଷ ସ୍ଥାନୀୟ କ୍ଲବ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ସେଗୁଡ଼ିକ ହେଲେ ସ୍ପୋଟର୍ସ ଓଡ଼ିଶା, ରାଇଜିଂ ଷ୍ଟୁଡେଣ୍ଟ କ୍ଲବ, ଓଜିପି କ୍ଲବ, କିଟ୍/କିସ୍, ଆର୍ଡୋର ଏକାଡେମୀ ଓ ନିତା ଫୁଟବଲ ଏକାଡେମୀ। ଓଟିଏମ୍ ଗ୍ରାଉଣ୍ଡରେ ଆର୍ଡୋର ଫୁଟବଲ ଏକାଡେମୀ ଏବଂ କିଟ୍/କିସ୍ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଅପରାହ୍ନ ୨ଟା ୩୦ରେ ଅନୁଷ୍ଠିତ ହେବ। ୭ ତାରିଖରେ ୟୁନିଟ-୧ ପଡ଼ିଆରେ ସ୍ପୋଟର୍ସ ଓଡ଼ିଶା ଓ ଓଜିପି କ୍ଲବ ମ୍ୟାଚ ହେବାକୁ ଥିବାବେଳେ ୮ରେ ଓଟିଏମ୍ ଗ୍ରାଉଣ୍ଡରେ ନିତା ଫୁଟବଲ ଏକାଡେମୀ ବିପକ୍ଷରେ ଖେଳି ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ଅଭିଯାନ ଆରମ୍ଭ କରିବ।