Advertisement
Categories: ଖେଳ

ଓଡ଼ିଶା ଓମେନ୍ସ ଲିଗ୍‌: ଓଜିପିକୁ ହରାଇଲା ରେଲଓ୍ବେ

ଭୁବନେଶ୍ୱର, ୩।୩(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଇଷ୍ଟକୋଷ୍ଟ ରେଲଓ୍ବେ ୩-୧ ଗୋଲରେ ଓଜିପି କ୍ଲବକୁ ପରାସ୍ତ କରିଛି। କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ମ୍ୟାଚର ୨୩ତମ ମିନିଟରେ ସରୋଜିନୀ ତିର୍କୀ ଏକ ଗୋଲ ଦେଇ ରେଲଓ୍ବେକୁ ଅଗ୍ରଣୀ କରାଇଥିଲେ। ୬୩ତମ ମିନିଟରେ ପ୍ରତିମା ମିଞ୍ଜ ଆଉ ଏକ ଗୋଲ ସ୍କୋର କରି ଦଳର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ମ୍ୟାଚଟି ୨-୦ ଗୋଲରେ ରେଲଓ୍ବେ ସପକ୍ଷରେ ଶେଷ ହେବାକୁ ଯାଉଥିବାବେଳେ ୯୦ତମ ମିନିଟରେ ଓଜିପିର ସୋନିଆ ଏକ୍କା ଏକ ଗୋଲ ପରିଶୋଧ କରି ମ୍ୟାଚରେ ରୋମାଞ୍ଚ ଭରିଥିଲେ। ତେବେ ଅତିରିକ୍ତ ସମୟ ଅର୍ଥାତ୍‌ ୯୦+୬ ମିନିଟରେ ରେଲଓ୍ବେର ତାରା ଖାତୁନ ଗୋଟିଏ ଗୋଲ ଦେଇ ଉତ୍କଣ୍ଠାର ଅବସାନ ଘଟାଇଥିଲେ। ରେଲଓ୍ବେ ଦଳର ସରୋଜିନୀ ତିର୍କୀ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଚିତ୍ରାମ୍ବଦା ପାତ୍ର, ସୁଲତାନା ପରବିନ, ଚନ୍ଦ୍ରକାନ୍ତ ବାରିକ ଓ ବିଚିତ୍ର ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ। ଦୁର୍ଗା ମାଧବ ନାଏକ ମ୍ୟାଚ କମିଶନର ଥିଲେ। ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଅତିଥିଭାବେ ଯୋଗ ଦେଇଥିଲେ। ବୁଧବାର କଳିଙ୍ଗ ଷ୍ଟାଡିୟମରେ ସ୍ପୋଟର୍‌ସ ହଷ୍ଟେଲ ଓ ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ମଧ୍ୟରେ ମ୍ୟାଚ ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel