Categories: ଖେଳ

ବିଜୟ ସହ ଓଡ଼ିଶା ମହିଳା, ପୁରୁଷ ଦଳର ଅଭିଯାନ

ଭୁବନେଶ୍ୱର, ୧୨।୬ (ତପନ ସ୍ବାଇଁ): ଜାତୀୟ ସିନିୟର ପେନ୍‌ଚାକ ସିଲାଟ ଚାମ୍ପିୟନଶିପ୍‌ (ମହିଳା ଓ ପୁରୁଷ)ର ଦ୍ୱାଦଶ ସଂସ୍କରଣ ମଙ୍ଗଳବାର କିଟ୍‌ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ପେନ୍‌ଚାକ ସିଲାଟ ଆସୋସିଏଶନ ଆନୁକୂଲ୍ୟରେ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୯୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। କଳିଙ୍ଗ କମର୍ସିଆଲ କର୍ପୋରେଶନ (କେସିସିଏଲ୍‌)ର ଉପସଭାପତି ଅଭିଷେକ ଦେବୀଦତ୍ତ ସାମଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। କିଟ୍‌ ଓ କିସ୍‌ର କ୍ରୀଡ଼ା ମହାନିର୍ଦ୍ଦେଶକ ତଥା ଓଡ଼ିଶା ଭଲିବଲ ଆସୋସିଏଶନ ସମ୍ପାଦକ ଗଗନେନ୍ଦୁ ଦାଶ, ଭାରତୀୟ ପେନ୍‌ଚାକ୍‌ ସିଲାଟ ଫେଡେରେଶନ ସଭାପତି କିଶୋର ୟାଓ୍ବଲେ, ଅଧ୍ୟକ୍ଷ ମହମ୍ମଦ ଇକବାଲ, ସମ୍ପାଦକ ତାରିକ୍‌ ଅହମଦ ଜାର୍ଗର, ଓଡ଼ିଶା ପେନ୍‌ଚାକ ସିଲାଟ ଆସୋସିଏଶନ ସଭାପତି ତାପସ ରାୟ ଚୌଧୁରୀ, ସମ୍ପାଦକ ପ୍ରେମ୍‌ ସିଂ ଥାପ୍ପା, ଖୋର୍ଦ୍ଧା ପେନ୍‌ଚାକ ସିଲାଟ ଆସୋସିଏଶନ ଅଧ୍ୟକ୍ଷ ସଚିନ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।
ପ୍ରଥମ ଦିବସରେ ଅନୁଷ୍ଠିତ ପ୍ରତିଯୋଗିତା ମଧ୍ୟରେ ପୁରୁଷ ୪୫ରୁ ୫୦ କେଜି ବର୍ଗରେ ଓଡ଼ିଶା ଉତ୍ତର ପ୍ରଦେଶକୁ ହରାଇ ଅଭିଯାନ ଆରମ୍ଭ କରିଛି। ସେହିପରି ଛତିଶଗଡ଼କୁ ଗୋଆ ପରାସ୍ତ କରିଛି। ମହିଳା ୪୫ରୁ ୫୦ କେଜି ବର୍ଗରେ ରାଜସ୍ଥାନକୁ ଓଡ଼ିଶା ଓ ଲାକ୍ଷାଦ୍ୱୀପକୁ ତାମିଲନାଡ଼ୁ ହରାଇ ଦେଇଛି। ପୁରୁଷ ୬୫ କେଜିରୁ ୭୦ କେଜି ବର୍ଗରେ ମିଜୋରାମକୁ ଜମ୍ମୁ କଶ୍ମୀର ଏବଂ ପଶ୍ଚିମବଙ୍ଗକୁ କର୍ନାଟକ ପରାସ୍ତ କରିଛି।

Share