Categories: ଖେଳ

ଓଡ଼ିଶାକୁ ୧ ସ୍ବର୍ଣ୍ଣ, ୨ ବ୍ରୋଞ୍ଜ

ଭୁବନେଶ୍ୱର, ୧।୮(ତପନ ସ୍ବାଇଁ): ଚଳିତ ମାସ ୨୯ ଓ ୩୦ ତାରିଖ ଦୁଇଦିନଧରି କୋଲକାତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ୭ମ ‘ଇଣ୍ଡିଆନ୍ସ ଚ୍ୟାଲେଞ୍ଜ୍‌ କପ୍‌’ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ ୧ ସ୍ବର୍ଣ୍ଣ ଓ ୨ ବ୍ରୋଞ୍ଜ ପଦକ ମିଳିଛି। ଏଥିରେ ଓଡ଼ିଶାର ୫ କରାଟେକା ଓ ୨ ଅଫିସିଆଲ୍‌ ଅଂଶଗ୍ରହଣ କରିଥିଲେ। ସେମାନେ ହେଲେ କୃଷ୍ଣଚନ୍ଦ୍ର ନାୟକ, ରାଜେଶ ମହାପାତ୍ର, ଡି. ଭଗବାନ ରେଡ୍ଡୀ, ରିତେଶ ରାୟ, ସୁମନ ଶେଖର ଦାସ, ରିତେଶ ମହାନ୍ତି ଓ ସାହିଲ କୁମାର। କରାଟେକାଙ୍କ ମଧ୍ୟରୁ କୃଷ୍ଣ ଚନ୍ଦ୍ର ନାୟକ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ପାଇ ଡବଲ ସଫଳତା ପାଇଛନ୍ତି। କୃଷ୍ଣ ୬୦ କେଜି ବ୍ୟକ୍ତିଗତ ଫାଇଟ୍‌ରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ସେହିପରି କୃଷ୍ଣଙ୍କ ସମେତ ଡି. ଭଗବାନ ରେଡ୍ଡୀ, ରୀତେଶ ରାୟ, ସୁମନ ଶେଖର ଦାସ ଓ ରାଜେଶ ମହାପାତ୍ରଙ୍କୁ ନେଇ ଗଠିତ ଦଳ ଟିମ୍‌ ଫାଇନାଲରେ ବ୍ରୋଞ୍ଜ ପଦକ ହାସଲ କରିଛି। ଅନ୍ୟମାନଙ୍କ ମଧ୍ୟରେ ସୁମନ ଶେଖର ଦାସ ୮୪ କେଜି ବ୍ୟକ୍ତିଗତ ଫାଇଟ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଫଳରେ ସେ ମଧ୍ୟ ୨ଟି ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାରେ ୬ଟି ଦେଶରୁ ମୋଟ ୫୨୯୩ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଟିମ୍‌ ଫାଇଟିଂରେ ୩୬ଟି ଦଳ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ପ୍ରତିଯୋଗୀମାନେ ବିହାର, ଉତ୍ତର ପ୍ରଦେଶ ଓ ମାଲେସିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ବ୍ରୋଞ୍ଜ ପାଇଥିଲେ। ଓଡ଼ିଶା ଦଳକୁ ରାଜ୍ୟ କରାଟେ ସଂଘ ଓ ଉତ୍କଳ କରାଟେ ସ୍କୁଲ୍‌ର କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇଛନ୍ତି।

Share