ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ପୁରସ୍କାର

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ମାଛ ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଦୁଇଟି ଜାତୀୟ ପୁରସ୍କାର। ଭାରତ ସରକାରଙ୍କ ମତ୍ସ୍ୟ, ପଶୁସମ୍ପଦ ଓ ଗୋପାଳନ ବିଭାଗ ପକ୍ଷରୁ ଶନିବାର ନୂଆଦିଲ୍ଲୀଠାରେ ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଓଡ଼ିଶାକୁ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି କଳାହାଣ୍ଡି ଜିଲାକୁ ଶ୍ରେଷ୍ଠ ଆଭ୍ୟନ୍ତରୀଣ ମତ୍ସ୍ୟ ଜିଲା ପୁରସ୍କାର ମିଳିଛି। ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ସଞ୍ଜୀବ କୁମାର ବଲ୍ୟାନ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ପୁରସ୍କାର ସହ ୧୦ଲକ୍ଷ ଟଙ୍କା ଓ ଶ୍ରେଷ୍ଠ ଆଭ୍ୟନ୍ତରୀଣ ମତ୍ସ୍ୟ ଜିଲା ପୁରସ୍କାର ସହ ୩ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ପୁରସ୍କାର ଗ୍ରହଣ କରିଥିବାବେଳେ ବିଭାଗର ଉପ ନିର୍ଦ୍ଦେଶକ ଶଶିକାନ୍ତ ଆଚାର୍ଯ୍ୟ ଶ୍ରେଷ୍ଠ ଆଭ୍ୟନ୍ତରୀଣ ମତ୍ସ୍ୟ ଜିଲା ପୁରସ୍କାର ଗ୍ରହଣ କରିଛନ୍ତି।

ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟକ୍ରମ(ଏନ୍‌ଏସ୍‌ଏସ୍‌ଓ)ଙ୍କ ଏକ ରିପୋର୍ଟ ଅନୁସାରେ, ଓଡ଼ିଶାରେ ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ଭଳି ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଚାଷୀଙ୍କ ଆୟର ଅଂଶଧନ ୧.୫%ରୁ ୨୬%କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟର ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଗତ ୫ବର୍ଷରେ ୭୮% ବୃଦ୍ଧି ପାଇଛି। ୨୦୧୪-୧୫ ବେଳକୁ ରପ୍ତାନିର ମୂଲ୍ୟ ୧,୮୧୭ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ରେ ଏହା ୩,,୨୪୩ କୋଟି ଟଙ୍କାରେ ପହଞ୍ଚତ୍ଛି। ବର୍ତ୍ତମାନ ରାଜ୍ୟର ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ୬,୬୦୦ ଟନ୍‌ ରହିଥିବାବେଳେ ଚିଙ୍ଗୁଡ଼ିର ପରିମାଣ ଅଧିକ ରହିଛି।

Share