କୁଏଟ୍‌ ନିଆଁରେ ଜଳିଗଲେ ଓଡ଼ିଶା ଯୁବକ, ଆଜି ଗାଁକୁ ଫେରିବ ମୃତଦେହ

ପୁରୁଷୋତ୍ତମପୁର,୧୪ା୬(ସିମାଞ୍ଚଳ ମିଶ୍ର): କୁଏଟ୍‌ରେ ପୋଡ଼ି ଯାଇ ଓଡ଼ିଆ ଶ୍ରମିକଙ୍କ ବୁଧବାର ମୃତ୍ୟୁ ଘଟିଛି। ସେହେଲେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗ୍ରାମର ସନ୍ତୋଷ ଗୌଡ଼ (୩୫)। ସେ ନିଜର ପରିବାର ପ୍ରତିପୋଷଣ ପାଇଁ ପ୍ରଥମେ ମୁମ୍ବାଇ ଯାଇ ସେଠାରେ କିଛି ଦିନ କାମ କରିବା ପରେ ଆହୁରି ଅଧିକ ଅର୍ଥ ରୋଜଗାର ଲାଗି କୁଏଟ୍‌ ଯାଇଥିଲେ। ଗତ ଦୁଇ ବର୍ଷ ଧରି ସେଠାରେ କାମ କରୁଥିଲେ। ଗତ ମାର୍ଚ୍ଚ ମାସରେ ତାଙ୍କର ବାପା ବିପ୍ର ଗୌଡଙ୍କ ହାର୍ଟ ଅପରେଶନ ପାଇଁ ନିଜ ଘରକୁ ଆସି ପୁଣି କୁଏଟ୍‌କୁ ଫେରି ଯାଇ ହାଇଓ୍ବେ ନାମକ ଏକ ଶପିଂମଲ୍‌ରେ କାର୍ଯ୍ୟ କରୁଥିଲେ। ତେବେ ଗତ ବୁଧବାର କମ୍ପାନୀରେ କାମ ସାରି ସେ ରହୁଥିବା ରୁମ୍‌କୁ ଫେରି ଶୋଇଥିଲେ। ରାତିରେ ଶୋଇଥିବା ସମୟରେ ସେହି ଘରେ ହଠାତ୍‌ ଅଗ୍ନିକାଣ୍ଡ ହୋଇଥିଲା। ଏହି ଅଗ୍ନିକାଣ୍ଡରେ ପୋଡ଼ିହୋଇ ସନ୍ତୋଷଙ୍କ ସମେତ କଟକର ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ସନ୍ତୋଷଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି। ସେ କାମ କରୁଥିବା କମ୍ପାନୀ ପକ୍ଷରୁ ତାଙ୍କ ମୃତଦେହକୁ କୁଏଟ୍‌ରୁ ଭୁବନେଶ୍ୱରକୁ ପଠାଇଛି। ଶୁକ୍ରବାର ସନ୍ତୋଷଙ୍କ ମୃତଦେହ ଭୁବନେଶ୍ୱରରେ ପହଞ୍ଚି ସନ୍ଧ୍ୟା ସୁଦ୍ଧା ତାଙ୍କ ଗ୍ରାମରେ ପହଞ୍ଚିବ ବୋଲି ଜଣାପଡ଼ିଛି । ତେବେ ସନ୍ତୋଷଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ରହିଛି। ସେ ପରିବାରର ରୋଜଗାରିଆ ପୁଅ ଭାବେ କୁଏଟ୍‌ ଯାଇ କାମ କରି ଯାହା ଟଙ୍କା ରୋଜଗାର କରୁଥିଲେ ସେଥିରେ ତାଙ୍କ ପରିବାର ପ୍ରତିପୋଷଣ ହେଉଥିଲା। ବର୍ତ୍ତମାନ ସନ୍ତୋଷଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପ୍ରତିପୋଷଣ କରିବା ଅତ୍ୟନ୍ତ କଷ୍ଟକର। ତେଣୁ ସନ୍ତୋଷଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Share