ଓଡ଼ିଶାର କଳା, ସଂସ୍କୃତି, ପାରମ୍ପରିକ ଖାଦ୍ୟକୁ ଉଚ୍ଚପ୍ରଶଂସା

ଭୁବନେଶ୍ୱର,୨୫ା୮(ଅନିଲ ଦାସ):ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସେଫ୍‌, ଉଦ୍ୟୋଗୀ ତଥା ଲେଖକ ବିକାଶ ଖାନ୍ନା ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡିଓ କନ୍‌ଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି।
ଏହି ଆଲୋଚନା ସମୟରେ ଖାନ୍ନା ଓଡ଼ିଶାର କଳା, ସ୍ଥାପତ୍ୟ, ସଂସ୍କୃତି, ଐତିହ୍ୟ ଓ ଖାଦ୍ୟ ପରମ୍ପରାର ଉଚ୍ଚପ୍ରଶଂସା କରିଛନ୍ତି। ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ ସମୟରେ ତାଙ୍କର ସୁଖଦ ଆଧ୍ୟାତ୍ମିକ ଅନୁଭୂତି ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଛନ୍ତି। ବିକାଶ କ୍ଷେତ୍ରରେ ଓଡ଼ିଶା ଦ୍ରୁତ ଅଗ୍ରଗତି କରୁଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ଓ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ତଥା ମାନବବାଦୀ ଚିନ୍ତାଧାରାର ଉଚ୍ଚପ୍ରଶଂସା କରିଛନ୍ତି। କୋଣାର୍କ ଚକ୍ର ବିଶ୍ବ ଏକତାର ପ୍ରତୀକ ବୋଲି ସେ ମତ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଖାନ୍ନାଙ୍କ ସୃଜନଶୀଳତା ଓ ଔଦ୍ୟୋଗିକ ମନୋଭାବର ପ୍ରଶଂସା କରିଛନ୍ତି। ତାଙ୍କୁ ଓଡ଼ିଶା ଆସିବାକୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି। ନିକଟରେ ଖାନ୍ନା ସ୍ବାଧୀନତା ଦିବସ ପାଳନ ଅବସରରେ ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାରଠାରେ ବିଶ୍ବପ୍ରସିଦ୍ଧ କୋଣାର୍କ ଚକ୍ରର ଏକ ପ୍ରତିରୂପ ସ୍ଥାପନ କରି ଚର୍ଚ୍ଚାରେ ରହିଥିଲେ। ଏହି ଆଲୋଚନା ସମୟରେ ୫-ଟି ସଚିବ ଭି . କେ. ପାଣ୍ଡିଆନ ଉପସ୍ଥିତ ଥିଲେ।

Share