Categories: ଖେଳ

ପରାଜୟ ସହ ଓଡ଼ିଶାର ଆଶା ଧୂଳିସାତ୍‌

ଭୁବନେଶ୍ୱର, ୧୮ା୨(କ୍ରୀଡ଼ା ପ୍ରତିନିଧି): ଚଳିତ ସନ୍ତୋଷ ଟ୍ରଫିର ଅନ୍ତିମ ରାଉଣ୍ଡରେ ଏକାଧିକ ସୁଯୋଗର ହାତଛଡ଼ା ଏବଂ ଫିନିଶିଂ ଅଭାବ ଓଡ଼ିଶା ପାଇଁ ମହଙ୍ଗା ପଡ଼ିଛି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଅଧିକାଂଶ ସମୟ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଥିଲେ ହେଁ କେରଳ ନିକଟରୁ ଗୋଟିଏ ଗୋଲରେ ହାରି ଯାଇଛି। ମ୍ୟାଚର ୧୬ତମ ମିନିଟରେ ଓଡ଼ିଶା ଗୋଲପୋଷ୍ଟ ଏରିଆରେ ବଲ୍‌ ପାଇଁ ସଂଘର୍ଷ ସମୟରେ ଚନ୍ଦ୍ର ମୋହନ ମୁର୍ମୁ ହ୍ୟାଣ୍ଡବଲ କରିବାରୁ କେରଳକୁ ପେନାଲ୍ଟି କିକ୍‌ ସୁଯୋଗ ଦିଆଯାଇଥିଲା। କେରଳର ୭ ନମ୍ବର ଖେଳାଳି ନିଜୋ ଗିଲବର୍ଟ ଏହାକୁ ଗୋଲରେ ପରିଣତ କରିଥିଲେ। ଏହି ଗୋଲଟି ଶେଷ ପର୍ଯ୍ୟନ୍ତ ଓଡ଼ିଶା ପଛରେ ଛାଇପରି ଲାଗି ରହିଥିଲା। ପ୍ରଥମାର୍ଦ୍ଧର ଅବଶିଷ୍ଟ ସମୟରେ ଓଡ଼ିଶା ଆଧିପତ୍ୟ ବିସ୍ତାର କରି ଅନେକଥର କେରଳ ଗୋଲପୋଷ୍ଟ ଉପରେ ଆକ୍ରମଣ କରିଥିଲା। ମାତ୍ର କେତେବେଳେ କେରଳ ଗୋଲକିପର ତଥା ଅଧିନାୟକ ମିଧୁନ ଭି. ସେଭ୍‌ କରିଥିଲେ ତ କେତେବେଳେ କେରଳ ରକ୍ଷଣଭାଗ ବଲ୍‌କୁ କ୍ଲିୟର କରିବାରେ ସକ୍ଷମ ହୋଇଥିଲେ। ମ୍ୟାଚର ୩୯ତମ ମିନିଟରେ ରାକେଶ ଓରାମ ଓ ୭୦ତମ ମିନିଟରେ ଆନନ୍ଦ ଓରାମ ୟେଲୋ କାର୍ଡ ପାଇଥିଲେ। ଏହି ମ୍ୟାଚରେ ପରାଜୟ ସହ ଓଡ଼ିଶାର ସେମିଫାଇନାଲ ପ୍ରବେଶ ଆଶା ଧୂଳିସାତ ହୋଇଛି। ମହାରାଷ୍ଟ୍ର ବିପକ୍ଷରେ ୧-୧ ଗୋଲରେ ଡ୍ର’ରୁ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ଦ୍ୱିତୀୟ ମ୍ୟାଚରେ ଗୋଆକୁ ୪-୧ ଗୋଲରେ ହରାଇ ଆଶା ଉଜ୍ଜୀବିତ କରିଥିଲା। ମାତ୍ର ତୃତୀୟ ମ୍ୟାଚରେ ପଞ୍ଜାବଠାରୁ ୧-୨ରେ ଏବଂ ଏଠାରେ କେରଳଠାରୁ ୦-୧ରେ ହାରିଯିବା ଦ୍ୱାରା ଦଳର ଚ୍ୟାଲେଞ୍ଜ ଶେଷ ହୋଇ ଯାଇଛି। ଏବେ କେବଳ ଦଳ ଏହାର ଶେଷ ଲିଗ୍‌ ମ୍ୟାଚ ୧୯ ତାରିଖରେ କର୍ନାଟକ ବିପକ୍ଷରେ କେବଳ ଔପଚାରିକତା ଦୃଷ୍ଟିରୁ ଖେଳିବ। ଗ୍ରୁପ୍‌ ‘ଏ’ରୁ ପଞ୍ଜାବ ୧୦ ଓ କର୍ନାଟକ ୮ ପଏଣ୍ଟ ପାଇ ସେମିଫାଇନାଲର ନିକଟତର ହୋଇଛନ୍ତି। ଶୁକ୍ରବାର ୭ମ ବାଟାଲିୟନ ପଡ଼ିଆରେ ଅନୁଷ୍ଠିତ ମହାରାଷ୍ଟ୍ର-କର୍ନାଟକ ମ୍ୟାଚ ୩-୩ ଗୋଲରେ ଡ୍ର ରହିଥିବାବେଳେ ପଞ୍ଜାବ ୩-୧ ଗୋଲରେ ଗୋଆକୁ ପରାସ୍ତ କରିଛି।

Share