କେନ୍ଦ୍ରକୁ ଓଡ଼ିଶାର ଚିଠି

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ଟିକା ଅନୁପାତରେ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛି ଓଡ଼ିଶା। ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ପରିବର୍ତ୍ତେ ୫ ପ୍ରତିଶତ ଟିକା ଦେବା ଲାଗି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ପରିବର୍ତ୍ତିତ କୋଭିଡ ଟିକାକରଣ ଗାଇଡ୍‌ଲାଇନ ଅନୁଯାୟୀ, ଘରୋଇ ହସ୍ପିଟାଲଗୁଡ଼ିକ ଟିକା ପ୍ରସ୍ତୁତିକାରୀ କମ୍ପାନୀଠାରୁ ସିଧାସଳଖ ୨୫ ପ୍ରତିଶତ ଟିକା କିଣିପାରିବେ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୭ଟି ହସ୍ପିଟାଲ କମ୍ପାନୀଠାରୁ ଟିକା ପାଇଛନ୍ତି। ଓଡ଼ିଶାର ଲୋକ ସଂଖ୍ୟା ଅନୁପାତରେ ଘରୋଇ ହସ୍ପିଟାଲ ସଂଖ୍ୟା କମ୍‌ ରହିଛି। ଏହା ରାଜ୍ୟରେ ମାତ୍ର ୫ ପ୍ରତିଶତ। ହେଲେ ପ୍ରଚଳିତ ଗାଇଡ଼ଲାଇନ ଅନୁସାରେ ରାଜ୍ୟ ତା’ର ୨୫ ପ୍ରତିଶତ ଟିକା ଅନୁଦାନକୁ ହରାଉଛି। ତେଣୁ ଏହି ୭୫ ଓ ୨୫ ପ୍ରତିଶତ ଅନୁପାତକୁ ପରିବର୍ତ୍ତନ କରି ୯୫ ଓ ୫ ପ୍ରତିଶତ କରିବା ପାଇଁ ସେ ଦାବି କରିଛନ୍ତି। ଫଳରେ ରାଜ୍ୟର ଅନୁପାତ ହାରରେ ଘରୋଇ ହସ୍ପିଟାଲଗୁଡ଼ିକ ଆବଶ୍ୟକ ଟିକା କିଣି ପାରିବେ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନବ ଦାସ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣାଇଛନ୍ତି। ସୂଚନାଯୋଗ୍ୟ, ଏ ନେଇ ପୂର୍ବରୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଅବଗତ କରାଇଥିଲେ।

Share