Categories: ଖେଳ

ଓଡ଼ିଶାର ପ୍ଲେ ଅଫ୍‌ ଆଶା ସଙ୍କଟରେ

ଭୁବନେଶ୍ୱର,୨୩ା୨(ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ୍‌ ମ୍ୟାଚରେ ଜାମସେଦପୁର୍‌ ଏଫ୍‌ସି ନିକଟରୁ ୨-୦ ଗୋଲରେ ହାରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଘରୋଇ ଗ୍ରାଉଣ୍ଡରେ ସିଜନର ଅନ୍ତିମ ମ୍ୟାଚରେ ଓଏଫ୍‌ସି ପରାଜିତ ହେବା ସହିତ ଏହାର ପ୍ଲେ ଅଫ୍‌ ପ୍ରବେଶ ସମ୍ଭାବନା କ୍ଷୀଣ ହେବାରେ ଲାଗିଛି। ୨୦ମ ମ୍ୟାଚରୁ ୯ ବିଜୟ ଓ ୩ ଡ୍ର ସହିତ ଦଳ ୩୦ ପଏଣ୍ଟ ହାସଲ କରିଛି। ଷଷ୍ଠ ସ୍ଥାନରେ ରହିଥିଲେ ମଧ୍ୟ ବର୍ତ୍ତମାନ ଗୋଆ ଏଫ୍‌ସିର ଫଳାଫଳ ଉପରେ ଦଳକୁ ନିର୍ଭର କରିବାକୁ ପଡିବ। ସପ୍ତମ ସ୍ଥାନରେ ରହିଥିବା ଗୋଆ ଏଫ୍‌ସି ଏହାର ଅନ୍ତିମ ମ୍ୟାଚ୍‌ ବେଙ୍ଗାଲୁରୁ ସହିତ ଖେଳିବ। ଯଦି ଏହି ମ୍ୟାଚ୍‌ରେ ଗୋଆ ବିଜୟୀ ହୁଏ ତେବେ ଉନ୍ନତ ଗୋଲ ବ୍ୟବଧାନରେ ପ୍ଲେ ଅଫ୍‌କୁ ଉତ୍ତୀର୍ଣ୍ଣ ହେବ। ମ୍ୟାଚ୍‌ ଅମୀମାଂସିତ କିମ୍ବା ଗୋଆ ପରାସ୍ତ ହେଲେ ଓଡ଼ିଶା ପ୍ରଥମ ଥର ପ୍ଲେ ଅଫ୍‌ରେ ପ୍ରବେଶ କରିବ। ବୁଧବାର ମ୍ୟାଚରେ ଗୋଆ ପକ୍ଷରୁ ହ୍ୟାରି ସୟର(୬୧) ଓ ରିତ୍ୱିକ୍‌ ଦାସ(୬୩) ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।

ମ୍ୟାଚ୍‌ ଆରମ୍ଭରୁ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଓଏଫ୍‌ସି ବେଶ ବଢିଆ ଆରମ୍ଭ କରିଥିଲା। ଉଭୟ ଦଳ ୪-୪-୨ କମ୍ବିନେଶନ ସହିତ ଓହ୍ଲାଇଥିଲେ। ମ୍ୟାଚରେ ଓଏଫ୍‌ସି ୫୯ ପ୍ରତିଶତ ସମୟ ଖେଳକୁ ନିୟନ୍ତ୍ରଣରେ ରଖିଥିଲେ ହେଁ ମାତ୍ର ୩ ମିନିଟ୍‌ ମଧ୍ୟରେ ମ୍ୟାଚର ମୋଡ ବଦଳାଇ ଦେଇଥିଲା ଜାମସେଦପୁର। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ପ୍ରଥମ ୧୫ ମିନିଟ ମଧ୍ୟ କେହି କାହାରିକୁ ଗୋଲ ଦେଇନଥିଲେ। ତେବେ ୬୦ରୁ ୬୩ ମିନିଟ ମଧ୍ୟରେ ଜାମସେଦପୁର ଘନ ଘନ ଆକ୍ରମଣ କରିଥିଲା। ୬୧ ତମ ମିନିଟରେ ରିତ୍ୱିକ ଦାସଙ୍କ ପକ୍ଷରୁ ମିଳିଥିବା ପାଶକୁ ଗୋଲରେ ପରିଣତ କରିଥିଲେ ହ୍ୟାରି ସୟର। ଏହାର ଦୁଇ ମିନିଟ ମଧ୍ୟରେ ସୟରଙ୍କ ଠାରୁ ମିଳିଥିବା ଲମ୍ବା ପାଶକୁ ପୋଷ୍ଟର ଡାହାଣ ପଟୁ ଗୋଲରେ ପରିଣତ କରିଥିଲେ ରିତ୍ୱିକ୍‌ ଦାସ। ଶେଷ ପର୍ଯ୍ୟନ୍ତ ଗୋଲ ପରିଶୋଧ ପାଇଁ ଓଏଫ୍‌ସି ପକ୍ଷରୁ ଆପ୍ରାଣ ଉଦ୍ୟମ କରାଯାଇଥିଲେ ମଧ୍ୟ ଏହା ସଫଳ ହୋଇନଥିଲା। ରିତ୍ୱିକ ଦାସଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।

Share