ଦାରିଙ୍ଗବାଡି, ୩।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ମଙ୍ଗଳବାର ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ବୁଲିବାକୁ ଆସିଛନ୍ତି। ସେ ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ସମେତ ଡୁଲୁରୀ ପାଇନ ବଣ, ହିଲଭିୟୁ ପାର୍କ ଆଦି ପର୍ଯ୍ୟଟନକ୍ଷେତ୍ର ବୁଲି ଦେଖିଛନ୍ତି। ଦାରିଙ୍ଗବାଡି ବୁଲିବା ସମୟରେ ଅସୀମାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ପ୍ରଶଂସକମାନେ ଅତି ନିକଟରୁ ଅସୀମାଙ୍କୁ ଦେଖି ସେଲ୍ଫି ଉଠାଇବା ସହ ତାଙ୍କ ସହ ଦୁଇ ପଦ କଥା ହେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଅସୀମାଙ୍କ ସହ ତାଙ୍କ ମା’ବାପା ଏବଂ ଅନ୍ୟ ପରିବାର ଲୋକେ ଉପସ୍ଥିତ ଥିଲେ। ସେ ରାଇକିଆ ବ୍ଲକରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜଙ୍ଗଲ ଓ ପରିବେଶ ବିଭାଗର ମଣ୍ଡସୁର କାଠ ବଙ୍ଗଳାରେ ରାତ୍ରିଯାପନ କରି ସେଠାରୁ ଦାରିଙ୍ଗବାଡି ବୁଲିବାକୁ ଆସିଥିବା କହିଛନ୍ତି। କିଛି ଘଣ୍ଟାର ବୁଲାବୁଲି ପରେ ସେ ଏହାର ଜଳବାୟୁ ଓ ପରିବେଶକୁ ପ୍ରଂଶସା କରିଛନ୍ତି।