ଭୁବନେଶ୍ୱର, ୨୦।୧୧(ବ୍ୟୁରୋ) – କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବରରେ ଆସିବ ବୋଲି ଆଶଙ୍କା କରାଯାଉଛି। ଏପରିସ୍ଥଳେ ଟିକା କେବେ ଆସିବ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉକ୍ତିମାରୁଛି। ତେବେ ଟୀକା ପାଇଁ ରାଜ୍ୟ ସରକାର କିପରି ପ୍ରସ୍ତୁତ ଅଛନ୍ତି ସେନେଇ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଟିକା ପାଇଁ କେନ୍ଦ୍ର ସରକାର ଯେଉଁ ଗାଇଡ଼ଲାଇନ୍ ଦେଇଥିଲେ, ସେହି ଅନୁସାରେ ପ୍ରସ୍ତୁତି ଜାରି ରହିଛି। ତେବେ ଏ ପର୍ଯ୍ୟନ୍ତ ପୂରା ଖସଡ଼ା ପ୍ରସ୍ତୁତ ହୋଇନାହିଁ। ପ୍ରକ୍ରିୟା ଶେଷ ହେବା ପରେ ଏନେଇ ସୂଚନା ଦିଆଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀ, ବୟସ୍କ ଏବଂ ପ୍ରସୂତିଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।