Categories: ଖେଳ

ବର୍ତ୍ତିଗଲେ ଓଡ଼ିଶାର ସ୍ନୋ ଗର୍ଲ ରଞ୍ଜିତା

ଭୁବନେଶ୍ୱର, ୨।୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ଏକମାତ୍ର ସ୍ନୋ ଗର୍ଲ ଭାବେ ବିଶେଷ ପରିଚିତ ରଞ୍ଜିତା ବେହେରା ଏକ ଭୟଙ୍କର ବିପଦରୁ ଅଳ୍ପକେ ରକ୍ଷା ପାଇଛନ୍ତି। ବୁଧବାର ଅପରାହ୍ନରେ ସେ ଜମ୍ମୁ-କଶ୍ମୀର ଗୁଲ୍‌ମାର୍ଗର ବରଫାବୃତ୍ତ ଆଫରଓ୍ବତ୍‌ ଅଞ୍ଚଳରେ ଥିବା ସ୍କି ଗଡ଼ାଣିରେ ହଠାତ୍‌ ହିମସ୍ଖଳନ ବା ଆଭାଲାଞ୍ଚ୍‌ ଆସିବାରୁ ସେଠାରେ ଅଭ୍ୟାସରତ ଦୁଇ ପୋଲାଣ୍ଡ ଅଧିବାସୀ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ଅନେକ ସ୍କିୟର ନିଖୋଜ ଅଛନ୍ତି। ସେଠାରେ ଅଭ୍ୟାସ କରୁଥିବା ଓଡ଼ିଶାର ରଞ୍ଜିତା ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଆଶ୍ଚର୍ଯ୍ୟଜନକଭାବେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ହିମସ୍ଖଳନକୁ ଅତି ନିକଟରୁ ଦେଖିବା ପରେ ସେ ଧୈର୍ଯ୍ୟହରା ନ ହୋଇ ନିଜ ବେଗକୁ ବଢ଼ାଇବା ସହିତ ବାମ ପାର୍ଶ୍ୱକୁ ଚାଲି ଯିବାରୁ ନିଜକୁ ବଞ୍ଚାଇ ପାରିଛନ୍ତି। ବାରମୂଳା ପୋଲିସ ଓ ସ୍ଥଳସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି। ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଛି। ଆକାଶ ମାର୍ଗରୁ ନିରୀକ୍ଷଣ କରାଯାଇ ନିଖୋଜଙ୍କୁ ଉଦ୍ଧାର କରାଯାଉଛି।

‘ପୁନର୍ଜନ୍ମ ପାଇଲି’

ଆକସ୍ମିକ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ରଞ୍ଜିତା ବାକ୍‌ଶୂନ୍ୟ ହୋଇ ପଡ଼ିଛନ୍ତି। ”ମୁଁ ପୂର୍ବରୁ କେବଳ ଶୁଣିଥିଲି। ପୂର୍ବରୁ କେବେହେଲେ ଏଭଳି ଶବ୍ଦ ଶୁଣି ନ ଥିଲି କିମ୍ବା ନିକଟରୁ ଭୟଙ୍କର ହିମସ୍ଖଳନ ଦେଖି ନ ଥିଲି। ପାଗ ଟିକେ ଖରାପ ଥିଲା। ତଥାପି ଆମେ ବରଫ ଖସଡ଼ାରେ ଅଭ୍ୟାସ କରୁଥିଲୁ। ହଠାତ୍‌ କୁହୁଡ଼ି ଭଳି ଘୋଟିଗଲା। ଆଉ କିଛି ଦେଖାଗଲାନି। ତା’ ପରେ ପରେ ଭୟଙ୍କର ଶବ୍ଦକରି ମାଡ଼ି ଆସିଲା। କିଛି ଦୂରରେ ଅଭ୍ୟାସ କରୁଥିବା ପୋଲାଣ୍ଡର ଦୁଇ ଅଧିବାସୀ ମୋ ଆଖି ସାମ୍ନାରେ ମୃତ୍ୟୁବରଣ କଲେ। ମୁଁ ବହୁତ ଭୟଭୀତ ହୋଇଗଲି। ହଠାତ କ’ଣ କରିବି ମୁଣ୍ଡରେ ପଶିଲାନି। ବେଗକୁ ବଢ଼ାଇ ବାମପଟକୁ ଚାଲିଗଲି। ମୋଠାରୁ କିଛି ଦୂରରେ ହିମସ୍ଖଳନର ସ୍ରୋତ ଚାଲିଗଲା। ଅନେକ ସ୍କିୟର ଏ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲପାଇବା ଯୋଗୁ ମୁଁ ଭୟାନକ ମୃତ୍ୟୁମୁଖରୁ ବର୍ତ୍ତିଯାଇଛି“ ବୋଲି ରଞ୍ଜିତା ପ୍ରକାଶ କରିଛନ୍ତି।

Share